ମୁମ୍ବାଇ,୪।୧୨: ଦେବେନ୍ଦ୍ର ଫଡନବୀସ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ। ବିଜେପିର ବରିଷ୍ଠ ନେତୃବୃନ୍ଦ ତାଙ୍କ ନାମକୁ ଚୂଡ଼ାନ୍ତ କରିଛନ୍ତି। ଡିସେମ୍ବର ୨ କିମ୍ବା ୩ ତାରିଖରେ ଏକ ବୈଠକ କରାଯାଇ ଫଡନବୀସଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯିବ ବୋଲି ମହାରାଷ୍ଟ୍ର ବିଜେପିର ଜଣେ ବରିଷ୍ଠ ନେତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଫଡନବିସ ମୁଖ୍ୟମନ୍ତ୍ରୀ ହେଲେ ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। ଏହା ଉପରୁ ମଧ୍ୟ ବୁଧବାର ପରଦା ଉଠିଛି। ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି। ପ୍ରଥମରୁ ସେ ମନା କରିଆସୁଥିଲେ। କିନ୍ତୁ ଫଡନବିସ ତାଙ୍କୁ ବାରମ୍ବାର ଅନୁରୋଧ କରିବା ପରେ ସେ ରାଜି ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।ବୁଧବାର ସିନ୍ଦେ ଶିବସେନା ନେତାମାନଙ୍କ ସହିତ ବୈଠକ କରିଥିଲେ। ସରକାରରେ ସେ ସାମିଲ ହେବେ ନା ନାହିଁ ସେ ବିଷୟରେ ସନ୍ଧ୍ୟାରେ ସୂଚନା ଦେବେ ବୋଲି ସିନ୍ଦେ ବୈଠକରେ ନିଜ ନେତାମାନଙ୍କୁ କହିଥିଲେ। କିନ୍ତୁ ବୈଠକରେ ନେତାମାନେ ତାଙ୍କୁ ସରକାରରେ ରହିବାକୁ ବହୁ ଅନୁରୋଧ କରିଥିଲେ। ଫଡନବିସ ବି ସିନ୍ଦେଙ୍କୁ ସରକାରରେ ରହିବାକୁ ଅନୁରୋଧ କରିଥିଲେ। ଶେଷରେ ସିନ୍ଦେ ରାଜି ହୋଇଥିବା ଜଣାପଡ଼ିଛି। ତେବେ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେଲେ ତାଙ୍କୁ କେଉଁ ବିଭାଗ ମିଳିବ ତାହା ସ୍ପଷ୍ଟ ହୋଇନାହିଁ। ମାତ୍ର ଆରମ୍ଭରୁ ଶିବସେନା ଗୃହ ବିଭାଗ ନିଜ ଅଧୀନରେ ରଖିବାକୁ ଦାବି କରିଆସୁଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |