ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ୍‌,୧୪।୧୨: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହେବାର ଗୋଟିଏ ଦିନ ପରେ ଜାମିନ ପାଇ ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ଜେଲରୁ ବାହାରିବା ପରେ ଅଲ୍ଲୁ ଅର୍ଜୁନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଭଲ ଅଛି, ବ୍ୟସ୍ତ ହେବାର କିଛି ନାହିଁ। ଆଇନକୁ ସମ୍ମାନ ଦିଏ। ତେଣୁ ଆଗକୁ ଆବଶ୍ୟକ ସମସ୍ତ ପ୍ରକାର ସହଯୋଗ କରିବି।କେବଳ ଏତିକି ନୁହେଁ ଅଲ୍ଲୁ ଅର୍ଜୁନ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ସହ କ୍ଷମା ମାଗିଛନ୍ତି। ଦୁର୍ଭାଗ୍ୟବଶତଃ ଏପରି ଘଟଣା ହୋଇଛି, ଏଥିପାଇଁ କ୍ଷମା ମାଗୁଛୁ। ସମ୍ପୃକ୍ତ ପରିବାର ପାଇଁ ଯାହା ଆବଶ୍ୟକ ସବୁ କରିବି। ୨୦ ବର୍ଷ ହେବ ଫିଲ୍ମ ଦେଖିବାକୁ ଯାଉଛି, ପୂର୍ବରୁ ଏପରି ହୋଇ ନ ଥିଲା ବୋଳି ଅଲ୍ଲୁ କହିଛନ୍ତି।ଗତ ୪ ତାରିଖ ରାତିରେ ହାଇଦ୍ରାବାଦର ସନ୍ଧ୍ୟା ସିନେମାହଲରେ ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରିମିୟର ଶୋ’ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ରାତି ପ୍ରାୟ ସାଢ଼େ ୧୦ଟାରେ ପ୍ରିମିୟର ଶୋ’ ପାଇଁ ଅଲ୍ଲୁ ହଲ୍ ବାହାରେ ପହଞ୍ଚିବା ସମୟରେ ତାଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଠେଲାପେଲା ହେବାରୁ ଦଳାଚକଟା ହୋଇଥିଲା। ଏଥିରେ ଏମ. ରେବତୀ ନାମ୍ନୀ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁଲିସ ଅଲ୍ଲୁଙ୍କୁ ଉଦ୍ଦେଶ୍ୟ ନ ଥାଇ ହତ୍ୟା ମାମଲାରେ ଶୁକ୍ରବାର ତାଙ୍କ ବାସଭବନରୁ ଗିରଫ କରିଥିଲା, ଯାହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରି କି ମୃତା ମହିଳାଙ୍କ ସ୍ଵାମୀ ମଧ୍ୟ ପୁଲିସର ଏପରି କାର୍ଯ୍ୟକୁ ନିନ୍ଦା କରିବା ସହିତ ମାମଲା ପ୍ରତ୍ୟାହାର କରିନେବେ ବୋଲି କହିଥିଲେ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!