ଶୀତରେ ଥରୁଛି ସାରା ଓଡ଼ିଶା:ଆଜିଠୁ ୪ଦିନ ବର୍ଷା

ଭୁବନେଶ୍ୱର,୧୭ା୧୨: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ପୂରା ରାଜ୍ୟ ହାଡଭଙ୍ଗା ଶୀତରେ ଥରୁଛି। ଅନେକ ସହରର ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଆସିଛି ତାପମାତ୍ରା । ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତର ଲହରୀ ଜାରି ରହିଥିଲା ବେଳେ ସକାଳୁ ସକାଳୁ ଅଧିକ ଥଣ୍ତା ଅନୁଭୂତ ହୋଇଥିଲା। ଜି. ଉଦୟଗିରିରେ ପାରଦ ୫ ଡିଗ୍ରୀ ତଳକୁ ଖସିଛି। ଏଠାରେ ପାରଦ ୪.୮ ଡିଗ୍ରୀ ରେକର୍ଡ଼ ହୋଇଛି। ୧୨ ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୫.୭ ଡିଗ୍ରୀ ଓ ଫୁଲବାଣୀରେ ୭ ଡିଗ୍ରୀ ରେକର୍ଡ଼ ହୋଇଛି।ରାଜ୍ୟରେ ହାଡ଼ଭଙ୍ଗା ଶୀତର ଲହରି ସାଙ୍ଗକୁ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳୁଛି। ସୋମବାର ସର୍ବାଧିକ ତାପମାତ୍ରା ନୂଆପଡ଼ା ଓ ପାରଳାଖେମୁଣ୍ଡିରେ ୩୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୫.୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ସେହିପରି କନ୍ଧମାଳ ଓ କୋରାପୁଟରେ ଘନକୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବାବେଳେ କଳାହାଣ୍ଡି ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା।ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ଅବପାତର ରୂପ ନେବା ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ତାମିଲନାଡୁ ଉପକୂଳ ମୁହାଁ ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ କୋହଲା ପାଗ ରହିବ। ୧୭ରୁ ୧୯ ତାରିଖ ମଧ୍ୟରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଏବଂ କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।ମଙ୍ଗଳବାର ଓ ବୁଧବାର କଳାହାଣ୍ଡି ଏବଂ ସୁନ୍ଦରଗଡ଼ରେ ହାଲୁକାରୁ ମଧ୍ୟମ ଧରଣ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। କୋରାପୁଟ ଓ କନ୍ଧମାଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ଏଥିସହ ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତ୍‌ସିଂହପୁର ଓ ଅନୁଗୋଳରେ ଶୀତ ଲହରି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ମଙ୍ଗଳବାର ଅପରାହ୍ନରୁ ୧୮ ତାରିଖ ମଧ୍ୟରେ ଗଞ୍ଜାମ ଓ ଗଜପତି ଜିଲାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର, ଖୋର୍ଦ୍ଧା, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!