ଆଜି ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି

ପୁରୀ ,,୧୮।୧୨: ଆଜି ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି |ଆଜି ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ରହିଥିବାରୁ ରତ୍ନଭଣ୍ଡାର ମରାମତି ବନ୍ଦ ରହିବ। ଗୁରୁବାରଠାରୁ ପୁନର୍ବାର କାର୍ଯ୍ୟ ଆରମ୍ଭ ହେବ। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭିତର ଭଣ୍ଡାର ଲୁହା ଭାରା ବନ୍ଧା ଶେଷ ହୋଇଛି। ମରାମତି ପାଇଁ ଗୋଟିଏ ପାର୍ଶ୍ୱରେ ପ୍ରାୟ ୨୦ ଫୁଟ ଉଚ୍ଚର ଲୁହା ଭାରା ବନ୍ଧାଯାଇଛି। ଭାରା ବ୍ୟବହାର କରି କାନ୍ଥ, ଛାତ ଓ ବିଭିନ୍ନ ସ୍ଥାନରେ ଥିବା ଫାଟର ମରାମତି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଦ୍ବାରା ନିଯୁକ୍ତ କୁଶଳୀ କାରିଗର କରିବେ। ଏଏସ୍‌ଆଇ ପ୍ରାଥମିକଭାବେ ଗୋଟିଏ ପରେ ଗୋଟିଏ ପାର୍ଶ୍ୱରେ ଭାରା ବାନ୍ଧି ଚୂନ ଛଡ଼ାଇବା ଓ ମରାମତି କାର୍ଯ୍ୟ କରିବ। ମଙ୍ଗଳବାର ପ୍ରଥମ ଦିବସରେ ଏଏସ୍‌ଆଇ ଅଧିକାରୀ ପହଞ୍ଚିବା ପରେ ପରୀକ୍ଷାମୂଳକ ଭାବେ ଗୋଟିଏ ପାର୍ଶ୍ୱର କିଛି ଅଂଶରେ ଚୂନ ଛଡ଼ାଯାଇଛି। ପରେ ସମସ୍ତ ଚୂନ ପ୍ଲାଷ୍ଟର ହଟାଯିବ ବୋଲି ଏଏସ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି।  ଏଏସ୍‌ଆଇ ସୂଚନା ମୁତାବକ, ପ୍ରାଥମିକ ପର୍ଯ୍ୟାୟରେ ଚୂନ ପ୍ଲାଷ୍ଟର ହଟାଯିବ। ପରେ ଫାଟ ଥିବା ପଥରଗୁଡ଼ିକ ହଟାଯାଇ ସେଠାରେ ନୀଳଗିରିରୁ ଆସୁଥିବା ଉନ୍ନତମାନର ପଥର ଲଗାଯାଇ ମରାମତି କରାଯିବ। ପ୍ରାୟ ୧୫ରୁ ୨୦ କୁଶଳୀ ଶ୍ରମିକଙ୍କୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟରେ ନିୟୋଜିତ କରାଯାଇଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯିବା ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଶ୍ରଦ୍ଧାଳୁଙ୍କ ଦର୍ଶନରେ ଯେଭଳି କୌଣସି ବ୍ୟାଘାତ ସୃଷ୍ଟି ନହୁଏ ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ସମୟ ଅନୁସାରେ କରାଯିବ। ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ପ୍ରତ୍ୟେକ ଦିନ ମଧ୍ୟାହ୍ନ ୧ଟା ପରଠାରୁ ସନ୍ଧ୍ୟା ୬ଟା ଯାଏଁ ପ୍ରାୟ ପାଞ୍ଚଘଣ୍ଟା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ କରାଯିବ। ରତ୍ନଭଣ୍ଡାର ଚଟାଣରେ ମୂଷା ଗାତ ଥିବାବେଳେ କାନ୍ଥରେ ଫାଟ ରହିଛି। କାନ୍ଥରୁ ପୁରୁଣା ପଥରଗୁଡ଼ିକ କଢ଼ାଯାଇ ନୂଆ ପଥର ଲଗାଯିବା ବ୍ୟବସ୍ଥା କରାଯାଇଛି। ରତ୍ନଭଣ୍ଡାର ଭିତରେ ଥିବା ପୁରୁଣା ଲୁହା ବିମ୍‌ ସ୍ଥାନାନ୍ତର କରାଯାଇ ନୂଆ ବିମ୍ ଲଗାଯିବ। ତିନିମାସ ମଧ୍ୟରେ ରତ୍ନଭଣ୍ଡାର ମରାମତି ଶେଷ ପାଇଁ ଏଏସ୍‌ଆଇ ଲକ୍ଷ୍ୟ ରଖିଛି। ଅଧିକ ମାନବସମ୍ବଳ ଲଗାଯାଇ ଶୀଘ୍ର ମରାମତି କାର୍ଯ୍ୟ ଶେଷ କରାଯିବ ବୋଲି ଏଏସ୍‌ଆଇ ଅଧିକାରୀ ଡି.ବି. ଗଡ଼ନାୟକ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!