ନୂଆଦିଲ୍ଲୀ,୨୦।୧୨: ନଭେମ୍ବର ୨୫ତାରିଖରୁ ଆରମ୍ଭ ହୋଇଥିଲା ଲୋକସଭା ଶୀତକାଳୀନ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ଯାଏଁ ଲୋକସଭା ମୁଲତବୀ କଲେ ବାଚସ୍ପତି ।ଚଳିତ ଅଧିବେଶନରେ କେନ୍ଦ୍ର ସରକାର ସଂସଦରେ ୱାନ୍-ନେସନ୍ ୱାନ୍ ଇଲେକ୍ସନ୍ ବିଲ୍ ଆଗତ ହୋଇଛି। ଶୀତ ଅଧିବେଶନ ଆରମ୍ଭରୁ ସଂସଦରେ ଶାସକ ଦଳ ଓ ବିରୋଧୀ ଦଳର ସାଂସଦମାନେ ପରସ୍ପର ସହ ମୁହାଁମୁହିଁ ହେଉଛନ୍ତି।କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ବିଜେପି । ବିଜେପିର ଦୁଇ ଜଣ ସାଂସଦଙ୍କୁ ଧକ୍କା ଦେଇ ଆହତ କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବିଜେପି ସାଂସଦମାନେ ମଲ୍ଲିକାର୍ଜୁନ ଖଡଗେଙ୍କୁ ହଇରାଣ କରୁଥିବା ନେଇ କଂଗ୍ରେସ ମଧ୍ୟ ପୁଲିସରେ ଅଭିଯୋଗ କରିଛି। ଡ. ଆମ୍ବେଦକରଙ୍କ ସମ୍ମାନ ବଞ୍ଚାଇବା ପାଇଁ ଲଢ଼େଇ କରିଥିବାରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି ବୋଲି କଂଗ୍ରେସ କହିଛି।ସଂସଦ ପରିସରରେ ଶାସକ ଦଳ ଓ ବିରୋଧୀଙ୍କ ମଧ୍ୟରେ ଧସ୍ତାଧସ୍ତିରେ ଦୁଇ ଜଣ ବିଜେପି ସାଂସଦ ଆହତ ହୋଇଛନ୍ତି। ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା। ରାଜନାଥ ସିଂହ ହସ୍ପିଟାଲରେ ପହଞ୍ଚି ଉଭୟଙ୍କୁ ଭେଟିଥିଲେ। ଡ. ଆମ୍ବେଦକରଙ୍କୁ ନେଇ ଅମିତ ଶାହାଙ୍କ ବୟାନକୁ ବିରୋଧ କରି ବିରୋଧୀମାନେ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନାରାବାଜି କରି ବିରୋଧୀ ସଂସଦ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ବିଜେପି ସାଂସଦମାନେ ସେଠାରେ ପୂର୍ବରୁ ଉପସ୍ଥିତ ଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶାହାଙ୍କୁ ସମର୍ଥନ କରି କହିଛନ୍ତି ଯେ କଂଗ୍ରେସ ନିଜର ଦୁଷ୍କର୍ମ ଲୁଚାଇବା ପାଇଁ ମିଛର ସାହାରା ନେଉଛି। ଆମ୍ବେଦକର ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ବିଜେପି ଏହି ହିଂସା କାଣ୍ଡ ଘଟାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଅନ୍ୟପକ୍ଷରେ ବିରୋଧୀ ସମ୍ବିଧାନ ନିର୍ମାତାଙ୍କୁ ଅପମାନିତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |