ରାଜ୍ୟରେ ୨ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୪ା୧୨ :ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହେବ। ଗୋଟିଏ ଲଘୁଚାପ ପ୍ରଭାବରେ ଗଲା ସପ୍ତାହ ପ୍ରାୟ ୩ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିଥିଲା। ଦୁଇ ଦିନର ବିରତି ପରେ ପୁଣି ଥରେ ବର୍ଷା ଭୟ ଆରମ୍ଭ ହୋଇଯାଇଛି। ଏମିତିକି, ଏଥର କିଛି ଜିଲ୍ଲାରେ ଦୁଇ ଦିନ ପ୍ରବଳ ବର୍ଷା ଆଶଙ୍କା କରାଯାଇଥିବାରୁ ଚାଷୀଙ୍କୁ ଭୟ ଘାରିଛି।ଏହାର ବାହ୍ୟ ବଳୟ ପ୍ରଭାବରେ ଦକ୍ଷିଣ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲାରେ ବାଦଲ ଆଚ୍ଛାଦନରେ ବୃଦ୍ଧି ଘଟିଛି। ଆସନ୍ତା ୩ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା କାରଣରୁ ଧନଜୀବନ ପ୍ରଭାବିତ ହୋଇପାରେ ଓ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ କମିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ମଙ୍ଗଳବାର ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ଉତ୍ତର ଉପକୂଳ ଓଡ଼ିଶାର କେତେକାଂଶରେ ହାଲୁକା ବର୍ଷା ହେବ ଓ ୨୫ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିବ। ଏଥିପାଇଁ ଗଜପତି, ଗଞ୍ଜାମ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ କୋରାପୁଟ ଆଦି ୫ ଜିଲାରେ ବର୍ଷା ହେବାକୁ ଥିବାବେଳେ କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ବୌଦ୍ଧ, ଯାଜପୁର, କଟକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି ଆଦି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୨୬ ତାରିଖରେ ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ସମ୍ପୃକ୍ତ ୨ ଜିଲାକୁ ୟେଲୋ ଓ୍ବାର୍ନିଂ ରହିଛି ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଆସନ୍ତା ୨ଦିନ କନ୍ଧମାଳ, ରାୟଗଡ଼ା, କୋରାପୁଟ, ବଲାଙ୍ଗୀର, ବରଗଡ଼ ଓ ସୋନପୁରରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବ ବୋଲି ସୂଚନା ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!