ଭୁବନେଶ୍ୱର,୨୫ା୧୨: ଭୁବନେଶ୍ୱର ଜନତା ମଇଦାନରେ ଜାନୁଆରୀ ୮ରୁ ୧୦ ମଧ୍ୟରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ମୋଦି ୯ରେ ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ। ୧୦ ତାରିଖ ଉଦ୍ଯାପନୀ ଉତ୍ସବରେ ରାଷ୍ଟ୍ରପତି ସାମିଲ ହେବେ।ଆସନ୍ତା ଜାନୁଆରୀ ୮-୧୦ ତିନିଦିନ ଧରି ରାଜ୍ୟରେ ହେବ ୧୮ ତମ ପ୍ରବାସୀ ଭାରତୀୟ ଦିବସ। ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ,କାର୍ଯ୍ୟର ସମୀକ୍ଷା କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ଓଡ଼ିଶା ସରକାରଙ୍କ ଗୃହ ବିଭାଗ,ପର୍ଯ୍ୟଟନ ବିଭାଗ ପୂରା ପ୍ରସ୍ତୁତିରେ ଲାଗିପଡିଛନ୍ତି । ଓଡ଼ିଶାର ସଂସ୍କୃତି , ପରମ୍ପରା ଐତିହ୍ୟ ସମ୍ଫର୍କରେ କିପରି ସମସ୍ତେ ଜାଣିବେ ଏ ନେଇ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି।ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ମଙ୍ଗଳବାର ଖାରବେଳ ଭବନରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସବୁଠୁ ଭଲ ହେବ ବୋଲି ବିଶ୍ୱାସ ରଖି ବିଭାଗ କାମ କରୁଛି। ମୁଖ୍ୟମନ୍ତ୍ରୀ ନିଜେ ଏହାକୁ ଗୁରୁତର ସହ ଅନୁଧ୍ୟାନ କରୁଛନ୍ତି। ବୈଠକରେ ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗ ଅଧିକାରୀ, କଟକ, ପୁରୀ, ଖୋର୍ଦ୍ଧା ଜିଲାପାଳଙ୍କ ସମେତ ବିଡିଏ, ବିଏମ୍ସି, ସିଏମ୍ସିର ଅଧିକାରୀ ଉପସ୍ଥିତ ରହିଥିଲେ। ଏହି ଦିବସରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଛି। ୧୪୦ ଦେଶରୁ ୫ ହଜାରରୁ ୭ ହଜାର ପ୍ରବାସୀ ଭାରତୀୟ ଏଥିରେ ଯୋଗଦେବେ। ସେମାନଙ୍କ ରହଣି ପାଇଁ ପର୍ଯ୍ୟଟନ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ସୁବିଧାଜନକ ଗମନାଗମନ ପାଇଁ କ୍ରୁଟ ୫ଟି ଡବଲ ଡେକର ବସ୍ ସହ ୫୦ଟି ନୂଆ ବସ୍ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |