ନୂଆଦିଲ୍ଲୀ,୩।୧:ବ୍ରହ୍ମପୁତ୍ର ନଦୀ ଉପରେ ଚୀନ ବନ୍ଧ ବାନ୍ଧିବାକୁ ଘୋଷଣା କରିବା ପରେ ଏବେ ହୋଟନରେ ଦୁଇଟି ନୂଆ ପ୍ରଦେଶ ଗଠନ ପାଇଁ ଘୋଷଣା କରିଛି। ଯାହାକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି। କାରଣ ଚୀନର ଏହି ଦୁଇ ନୂଆ ପ୍ରଦେଶରେ ଲଦାଖର କିଛି ଅଞ୍ଚଳକୁ ସାମିଲ କରାଯାଇଛି। ଭାରତୀୟ କ୍ଷେତ୍ର ଉପରେ ଚୀନର ଏପରି ଅବୈଧ କବଜାକୁ ଆଦୌ ସ୍ବୀକାର କରାଯିବ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖକୁ ନିଜର କହିଛି ବେଜିଂ। ଚାଇନା ପକ୍ଷରୁ ଦୁଇଟି କାଉଣ୍ଟୀ ପ୍ରତିଷ୍ଠା କରାଯାଉଛି। ଏହାର କିଛି ଅଂଶ ଲଦାଖ ମଧ୍ୟରେ ଆସୁଛି। ଚାଇନାର ଏପରି ପଦକ୍ଷେପକୁ ଭାରତ ପକ୍ଷରୁ କଡ଼ା ବିରୋଧ କରାଯାଇଛି। ଭାରତ ସରକାର ଏନେଇ କୂଟନୀତିକ ସ୍ତରରେ ଚାଇନା ନିକଟରେ ଅଭିଯୋଗ କରିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।ଡିସେମ୍ବର ୨୭ରେ ଚାଇନାର ସରକାରୀ ଗଣମାଧ୍ୟମ କହିଥିଲା ଯେ ଉତ୍ତରପଶ୍ଚିମ ଚାଇନାର ଜିନଜିଆଙ୍ଗ ଉଇଗୁର ସ୍ୱଂୟ ଶାସିତ ରିଜନର ସରକାର ଉକ୍ତ ଅଞ୍ଚଳରେ ଦୁଇଟି କାଉଣ୍ଟୀ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ହେନ କାଉଣ୍ଟୀ ଓ ହେକାଙ୍ଗ କାଉଣ୍ଟୀ ପ୍ରତିଷ୍ଠା ହେବ। ଚାଇନାର ସେଣ୍ଟ୍ରାଲ କମିଟି ଓ ରାଜ୍ୟ ପରିଷଦ ଏହି ଦୁଇ କାଉଣ୍ଟୀକୁ ଅନୁମତି ଦେଇଛି। ଏହାକୁ ହୋଟାନ ପ୍ରିଫେକଚର ଦ୍ୱାରା ପରିଚାଳନା କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲାବିଦେଶ ମନ୍ତ୍ରଣାଳୟ କହିଛି ଯେ, ଆମେ ଭାରତର ସ୍ବାର୍ଥ ରକ୍ଷା ପାଇଁ ତଦାରଖ ଜାରି ରଖିବୁ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ। ବ୍ରହ୍ମପୁତ୍ର ନଦୀ ଉପରେ ଚୀନର ଡ୍ୟାମ ପ୍ରକଳ୍ପକୁ ନେଇ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ତିବ୍ବଦର ୟାରଲୁଙ୍ଗ ସାଙ୍ଗପୋ (ଭାରତୀୟ କ୍ଷେତ୍ରରେ ବ୍ରହ୍ମପୁତ୍ର) ନଦୀ ଉପରେ ବିଶ୍ଵର ସବୁଠୁ ବଡ଼ ଡ୍ୟାମ ନିର୍ମାଣ କରିବା ନେଇ ଘୋଷଣା କରିଛି। ନଦୀ ଜଳ ଉପରେ ଆମର ଅଧିକାର ମଧ୍ୟ ରହିଛି। ଆମେ ନିୟମିତ ଭାବେ ବିଶେଷଜ୍ଞ ସ୍ତର ଏବଂ କୁଟନୈତିକ ସ୍ତରରେ ଚୀନ ପକ୍ଷକୁ ଆମ ବିଚାର ଓ ଚିନ୍ତା ବିଷୟରେ ଅବଗତ କରାଇଛୁ। ବ୍ରହ୍ମପୁତ୍ର ନଦୀର ତଳ ସ୍ତରରେ ରହିଥିବା ଭାରତୀୟ ରାଜ୍ୟଗୁଡ଼ିକର ସ୍ବାର୍ଥ ଯେପରି ଉକ୍ତ ଡ୍ୟାମ ଦ୍ବାରା ପ୍ରଭାବିତ ନ ହୁଏ ତାହା ସୁନିଶ୍ଚିତ କରିବା ଲାଗି ଚୀନକୁ କୁହାଯାଇଥିବା ଜୟସୱାଲ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |