ଆସନ୍ତା ୮ରୁ ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ୱର,୪।୧: ଆସନ୍ତା ୮ ତାରିଖରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ। ଏହି ୩ ଦିନିଆ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ, ପ୍ରବାସୀ ଭାରତୀୟ ଏବଂ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀମାନଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ଯୋଗ ଦେବେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅନୁରୂପ ଭାବରେ ଅତିଥିମାନଙ୍କ ସୁରକ୍ଷା ଓ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାରେ ପରିଚାଳନା ନିମନ୍ତେ ପୁଲିସ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି ପୁଲିସ ଡ଼ିଜି ୱାଇ.ବି.ଖୁରାନିଆ। ଭୁବନେଶ୍ୱର କ୍ୟାମ୍ପ ଅଫିସରେ ଅନୁଷ୍ଠିତ ବୈଠକରେ ସେ ପୁଲିସ ବିଭାଗର ପ୍ରସ୍ତୁତି, ପରିଚାଳନା, ଟ୍ରାଫିକ ସୁପରିଚାଳନା ଆଦିର ଅନୁଧ୍ୟାନ କରିଛନ୍ତି ।ବିମାନବନ୍ଦରରେ ଏବଂ ଜନତା ମଇଦାନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇବା ସହ ଅତିଥି ଓ ଭିଭିଆଇପିଙ୍କ ନିମନ୍ତେ ସୁରକ୍ଷା ବ୍ୟବସ୍ଥା, ରୁଟ ଲାଇନ ଏବଂ ସେହି ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା ଆଦି ସଂକ୍ରାନ୍ତରେ ଉପଯୁକ୍ତ ପଦକ୍ଷେପ ନେବାକୁ ଡିଜିପି ଖୁରାନିଆ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାନବାହାନ ପାର୍କିଂ ସ୍ଥଳ, ଉତ୍ସବସ୍ଥଳରେ ସୁରକ୍ଷା ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ଡିଜିପି ଖୁରାନିଆ ସମୀକ୍ଷା କରିଛନ୍ତି । ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ଓଡ଼ିଶାରେ ଅନୁଷ୍ଠିତ ହେଉଛି। ପ୍ରବାସୀ ଭାରତୀୟ ଦିବସର ପ୍ରଥମ ଦିନ ଜାନୁଆରୀ ୮ରେ ବୈଦେଶିକବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଯୋଗ ଦେବେ। କାର୍ଯ୍ୟକ୍ରମରେ ୭ହଜାରରୁ ଅଧିକ ପ୍ରବାସୀଙ୍କ ସହ ମୋଟ ୧୦ ହଜାର ଅତିଥି ଯୋଗଦେବେ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱରରେ ସ୍ପେଶାଲ ଫୋର୍ସ ମଧ୍ୟ ପହଞ୍ଚିଛନ୍ତି।  ଡିଜି କ୍ୟାମ୍ପ ଅଫିସରେ ସ୍ପେଶାଲ ଟାକଟିକାଲ ୟୁନିଟ ପହଞ୍ଚିଛି। ଏହି ସଶସ୍ତ୍ର ବାହିନୀଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି।ସେପଟେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ୱାଇ ବି ଖୁରାନିଆ। ଅତିଥିଙ୍କ ରହଣି ସ୍ଥାନ, କାର୍ଯ୍ୟକ୍ରମ ସ୍ଥଳ ଜନତା ମଇଦାନ ସହ ଭୁବନେଶ୍ୱର, କଟକ ଓ ପୁରୀର ପର୍ଯ୍ୟଟନ ସ୍ଥଳୀରେ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ କହିଛନ୍ତି। ଏଥିସହ ହୋଟେଲ୍ ଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଡିଜିପି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!