ନୂଆଦିଲ୍ଲୀ, ୫।୧:ଦିଲ୍ଲୀ ଆକାଶରେ ଘନ କୁହୁଡିର ଆସ୍ତରଣ କାରଣରୁ କ୍ରମାଗତ ତୃତୀୟ ଦିନ ପାଇଁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ୧୨ ଘଣ୍ଟାରୁ ଅଧିକ ସମୟ ଧରି କୁହୁଡି ରହିଥିବା ବେଳେ ୪୦୦ ବିମାନର ଯାତ୍ରା ବିଳମ୍ବିତ ହୋଇଥିଲା। ଏହା ବ୍ୟତୀତ ୪୫ଟି ବିମାନ ଯାତ୍ରା ବାତିଲ କରାଯାଇଥିବା ବେଳେ ୧୯ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା। ଘନ କୁହୁଡି କାରଣରୁ ବିମାନ ବନ୍ଦରର ଭିଜିବିଲିଟି ୦ ମିଟରରେ ପହଞ୍ଚିଲା।କମ୍ ଦୃଶ୍ୟମାନ ଯୋଗୁ ରାଜଧାନୀ ଦିଲ୍ଲୀରେ ଟ୍ରେନ୍ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ବି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅନେକ ବିମାନ ବିଳମ୍ବରେ ଚାଲୁଛି। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ରାଡାର ଅନୁଯାୟୀ, ଘନ କୁହୁଡ଼ି କାରଣରୁ ଆଜି ସକାଳ ୮ ଟାରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଏ) ବିମାନବନ୍ଦରରେ ୬ ଟି ବିମାନ ବାତିଲ କରାଯାଇଛି। ୧୧୪ ଟି ବିମାନରେ ହାରାହାରି ୧୮ମିନିଟରେ ବିଳମ୍ବ ହୋଇଛି। ଶନିବାର ଦିନ ଆଇଜି ବିମାନ ବନ୍ଦରରେ ପ୍ରାୟ ୪୮ ବିମାନ ଉଡାଣ ବାତିଲ କରିବାକୁ ପଡିଥିଲା। ଅନ୍ୟ ପକ୍ଷରେ ରନୱେର ଭିଜିବିଲିଟି୧୦୦ରୁ ୨୫୦ ମିଟର ରହିଥିଲା।ଦିଲ୍ଲୀ ଚଳିତ ବର୍ଷ ସବୁଠାରୁ ଅଧିକ ସମୟର ଜିରୋ ଭିଜିବିଲିଟି ରେକର୍ଡ କରିଛି ବୋଲି କହିଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ଆର.କେ ଜେନାମଣି। ଶନିବାର ଲଗାତାର ୯.୩୦ ଘଣ୍ଟା ଧରି ଜିରୋ ଭିଜିବିଲିଟି ରହିଥିବା ନେଇ ଜେନାମଣି ସୂଚନା ଦେଇଛନ୍ତି। ବିମାନ ବନ୍ଦରର ୪ଟି ଯାକ ରନୱେରେ ଭିଜିବିଲିଟି୧୦୦ରୁ ୨୫୦ ମିଟର ମଧ୍ୟରେ ରହିଥିଲା। ସାଧାରଣତଃ କାଟାଗୋରୀ-୧ ପାଇଲଟଙ୍କ ବିମାନ ଅବତରଣ ପାଇଁ ଭିଜିବିଲିଟି ୫୫୦ ମିଟର ରହିବା ଆବଶ୍ୟକ ହୋଇଥାଏ। କାଟାଗୋରୀ-୨ ପାଇଲଟଙ୍କ ବିମାନ ଅବତରଣ ପାଇଁ ଭିଜିବିଲିଟି ୨୭୫ରୁ ୫୫୦ ମିଟର ମଧ୍ୟରେ ରଖାଯାଇଥାଏ। ୪୦୦ ବିମାନ ବିଳମ୍ବିତ ହୋଇଥିବା ବେଳେ ହାରାହାରି ବିଳମ୍ବିତ ସମୟ ୩୪ ମିନିଟ ରହିଛି। ସେହିପରି ଖରାପ ପାଗ କାରଣରୁ ୪୫ଟି ବିମାନ ଯାତ୍ରା ଆରମ୍ଭ କରି ପାରି ନଥିଲେ। ଅନ୍ୟ ପକ୍ଷରେ ୧୯ଟି ବିମାନର ରୁଟ ପରିବର୍ତ୍ତନ କରାଯାଇଥିଲା। ଏହା ମଧ୍ୟରେ ୧୭ଟି ଡୋମେଷ୍ଟିକ ଓ ୨ଟି ଅନ୍ତର୍ଜାତୀୟ ବିମାନ ସାମିଲ ଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |