ଭୁବନେଶ୍ୱର,୭।୧: କାଲିଠୁ ଭୁବନେଶ୍ବରରେ ଆରମ୍ଭ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ। ଏନେଇ ଓଡ଼ିଶାରେ ଜମିଲାଣି ଏନ୍ଆର୍ଆଇଙ୍କ ଭିଡ଼ । ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ। ଏନେଇ ଚଳଚଞ୍ଚଳ ହୋଇପଡିଛି ରାଜଧାନୀ। ଏପରିକି ବିଦେଶରୁ ଆସିଥିବା ପ୍ରବାସୀ ଭାରତୀୟମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ, କୋଣାର୍କ, ଚିଲିକାରେ ବୁଲିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷେ କିଛି ପ୍ରବାସୀ ଭାରତୀୟ ଚିଲିକା ମଙ୍ଗଳାଯୋଡ଼ିରେ ପହଞ୍ଚି ଥିବା ଦେଖିବାକୁ ମିଳିଛି। ପ୍ରବାସୀ ଭାରତୀୟମାନେ ପ୍ରାୟ ୩୦ଟି ଡଙ୍ଗାରେ ମଙ୍ଗଳାଯୋଡ଼ିରେ ବୁଲିବା ସହ ପ୍ରକୃତିର ମଜା ନେଉଛନ୍ତି।କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରାଳୟ ସହଭାଗିତାରେ ଜାନୁଆରୀ ୮ରେ ଜନତା ମଇଦାନରେ ପାଳନ ହେବ ଯୁବ ପ୍ରବାସୀ ଭାରତୀୟ ଦିବସ। ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ଥିମ୍ ପାଭିଲିୟନ ବି ଉଦଘାଟନ କରିବେ ମୋଦି। ଏଠାରୁ ଭର୍ଚୁଆଲ ମୋଡ୍ ରେ ଦିଲ୍ଲୀର ନିଜାମୁଦ୍ଦିନ ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟୁରିଷ୍ଟ ଟ୍ରେନ୍ ‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ’ର ମଧ୍ୟ ଲୋକର୍ପଣ କରିବେ।ଅନ୍ୟପକ୍ଷେ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସୋମବାର ସନ୍ଧ୍ୟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେ ସିଧାସଳଖ କୋଣାର୍କ ଯାଇଥିଲେ। କୋଣାର୍କ ଇକୋରିଟ୍ରିଟରେ ସେ ରାତ୍ରିଯାପନ କରିଥିଲେ। ମଙ୍ଗଳବାର ସକାଳେ ସେ କୋଣାର୍କ ପରିସର ବ୍ୟାଖାନ କେନ୍ଦ୍ର ବୁଲି ଦେଖୁଛନ୍ତି। ଏପରିକି କୋଣାର୍କ ସୂର୍ଯ୍ୟ ମନ୍ଦିର ସହ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଭୁବନେଶ୍ୱର ଆସି ଧଉଳି ଶାନ୍ତିସ୍ତୂପ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି। ଏପରିକି ପ୍ରବାସୀ ଭାରତୀୟ ସମ୍ମିଳନୀ ନେଇ ଜୟଶଙ୍କର ଓଡ଼ିଶାରେ ଭବ୍ୟ ଭାବେ ‘ପ୍ରବାସୀ ଭାରତୀୟ ଦିବସ’ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |