କାଲିଠୁ ଘନ କୁହୁଡି, ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର,୧୦ା୧:ଆସନ୍ତା କାଲିଠାରୁ ରାଜ୍ୟରେ ଘନ କୁହୁଡି କଲବଲ କରିବ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଯିବନି ରାସ୍ତା । ୧୪ ତାରିଖ ପର୍ଯ୍ୟନ୍ତ କୁହୁଡିର ରାଜ୍ ରହିବ। ଏନେଇ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା । କିଛି ସ୍ଥାନରେ ଜିରୋ ଭିଜିବିଲିଟି ଅବସ୍ଥା ସୃଷ୍ଟି ହୋଇପାରେ ।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଗାମୀ ୩ ଦିନ ଯାଏଁ ଓଡ଼ିଶାର ଅନେକ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ତେଣୁ ଶୀତ କମିବାର ସମ୍ଭାବନା ରହିଛି। ୩ ଦିନ ପରେ ସର୍ବନିମ୍ନ ତାପମାତ୍ରର ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ। ଅର୍ଥାତ ଶୀତ ବଢ଼ିବାର ସମ୍ଭାବନା ରହିଛି। ଯାହାଫଳରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପାରେ।ଏହାସହ ଝାରସୁଗୁଡା, ପୁରୀ, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ, ଗଜପତି, ଜଗତସିଂହପୁର ଏବଂ କେନ୍ଦ୍ରାପଡାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଘନ କୁହୁଡି ପାଇଁ  ପରିବହନ ସେବା ପ୍ରଭାବିତ ହେବ। ଏଥିପାଇଁ ରାତି ୨ଟାରୁ ସକାଳ ୧୦ ଟା ମଧ୍ୟରେ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଜୋନ୍ ଉପରେ ସ୍ବତନ୍ତ୍ର ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି । ସେପଟେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିବ ତାପମାତ୍ରା । ଅଧିକାଂଶ ଜିଲ୍ଲାରେ ୨ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢିବ । ଫଳରେ ତାପମାତ୍ରା ଉପରମୁହାଁ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!