ପକ୍ଷୀ ଦେହରେ ଲାଗିଲା ଟ୍ରାକର

ଭୁବନେଶ୍ୱର,୧୧।୧: ପ୍ରଥମ ଥର ପାଇଁ ପକ୍ଷୀ ଦେହରେ ଲାଗିଛି ସୌର ଚାଳିତ ଟ୍ରାକର। ଚିଲିକା ନଳବଣକୁ ଆସିଥିବା ବିଦେଶୀ ପକ୍ଷୀ ଫ୍ଲେମିଙ୍ଗୋ ଦେହରେ ଏହି ଟ୍ରାକର ଲଗାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଗ୍ରେଟର୍‌ ଫ୍ଲେମିଙ୍ଗୋ (ଫୋନିକପ୍ଟରସ୍‌‌ ରୋଜସ୍‌‌) ପକ୍ଷୀର ଥଣ୍ଟ ଓ ଲମ୍ୱା ଗୋଡ଼ ଅନ୍ୟ ପକ୍ଷୀମାନଙ୍କ ତୁଳନାରେ ଭିନ୍ନ। ଏଥିପାଇଁ ଦେଖଣାହାରୀଙ୍କ ମନରେ ଏହି ପକ୍ଷୀ ସ୍ୱତନ୍ତ୍ର ସ୍ଥାନ ପାଇଥାଏ। ତେବେ ପ୍ରତିବର୍ଷ ଏହି ପକ୍ଷୀ ଚିଲିକାକୁ କେଉଁଠାରୁ ଆସୁଛନ୍ତି ଓ କେଉଁ ବାଟ ଦେଇ ଫେରୁଛନ୍ତି, ତାହା ଜାଣିବା ପାଇଁ ବନ ବିଭାଗ ଯୋଜନା କରିଛି। ଏଥିପାଇଁ ଗ୍ରେଟର ଫ୍ଲେମିଙ୍ଗୋଙ୍କୁ ଧରି ସେମାନଙ୍କ ଗୋଡ଼ରେ ଜିଏସ୍‌‌ଏମ୍‌‌-ଜିପିଏସ୍‌‌ ରିଙ୍ଗ୍‌‌ ଟ୍ୟାଗିଂ ଆରମ୍ଭ କରାଯାଇଛି। ଭାରତୀୟ ବନ୍ୟଜୀବ ସଂସ୍ଥାନର ବରିଷ୍ଠ ବୈଜ୍ଞାନିକ ଡଃ ଆର. ସୁରେଶ କୁମାରଙ୍କ ନେତୃତ୍ୱରେ ଗତ ଦୁଇଦିନରେ ଚିଲିକାର ନଳବଣରୁ ଦୁଇଟି ଗ୍ରେଟର୍‌ ଫ୍ଲାମିଂଗୋକୁ ସଫଳତାର ସହ ଧରି ଟ୍ୟାଗ୍‌‌ କରାଯାଇଛି।ଦୁଇଟି ଫ୍ଲେମିଙ୍ଗୋକୁ ୩୦ଗ୍ରାମ୍‌ ଓଜନର ଏକ ସୌରଚାଳିତ ଟ୍ରାନ୍ସମିଟର ସହିତ ଟ୍ୟାଗ୍‌‌ କରାଯାଇଛି। ଯାହା ପ୍ରତି ୧୦ମିନିଟ୍‌‌ରେ ପକ୍ଷୀମାନଙ୍କ ଉପସ୍ଥିତି ରେକର୍ଡ କରିବ। ଏହି ଉପକରଣଟି ଶୀତ ଋତୁରେ େଫ୍ଲମିଙ୍ଗୋମାନଙ୍କର ଚିଲିକା ଜଳରାଶି ଆଭ୍ୟନ୍ତରୀଣ ଚଳପ୍ରଚଳ ଓ ବ୍ୟବହାରକୁ ରେକର୍ଡ କରିବ, ଯାହା ବନ ବିଭାଗକୁ ଗ୍ରେଟର ଫ୍ଲେମିଙ୍ଗୋ ବିଷୟରେ ଅଧିକ ତଥ୍ୟ ଯୋଗାଇ ପାରିବ।ଟ୍ରାକର ସହାୟତାରେ ଚିଳିକାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ଉପରେ ବନବିଭାଗ ପକ୍ଷରୁ ନଜର ରଖାଯିବ। ଏପରିକି କେଉଁ ବାଟ ଦେଇ ଫ୍ଲେମିଙ୍ଗୋ କେଉଁଠିକୁ ଯାଉଛି ତାହାର ଗତିବିଧି ଉପରେ ନଜର ରଖାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଦୁଇଟି ଫ୍ଲେମିଙ୍ଗୋ ପକ୍ଷୀ ଦେହରେ ଏହି ଟ୍ରାକର ଲଗାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!