ଭୁବନେଶ୍ୱର,୧୯ା୧: ଅଫିସରମାନେ ଉପଯୋଗ କରୁଥିବା ଗାଡ଼ିର ଭଡ଼ା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ।ଫେବୃୟାରୀ ପହିଲାରୁ ଅଫିସରମାନଙ୍କୁ ଗାଡ଼ି ଉପଯୋଗ ପାଇଁ ବର୍ଦ୍ଧିତ ଦର ଦେବାକୁ ପଡ଼ିବ । ବଢୁଥିବା ତେଲ ଦର କାରଣରୁ ଅଫିସରମାନେ ବ୍ୟବହାର କରୁଥିବା ଗାଡ଼ିର ଭଡ଼ା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।ନିଜ ବାସଭବନରୁ ଅଫିସକୁ ଯିବାଆସିବା, ଅଫିସ୍ କାମରେ ବାହାରକୁ ଯିବାଆସିବା ଏବଂ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସରକାରୀ ଗାଡ଼ି ଉପଯୋଗ ପାଇଁ ମଧ୍ୟ ଏହି ଭଡ଼ା ଦରରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି ।ତେଲ ଦର ବଢ଼ିଥିବାରୁ ୮ବର୍ଷ ପରେ ଏହି ଭଡ଼ାରେ ସଂଶୋଧନ ଆବଶ୍ୟକତା ପଡ଼ିଛି ବୋଲି ଅର୍ଥ ବିଭାଗ କହିବା ସହ ଫେବୃୟାରୀ ପହିଲାରୁ ଅଫିସରମାନଙ୍କୁ ଗାଡ଼ି ଉପଯୋଗ ପାଇଁ ବର୍ଦ୍ଧିତ ଦର ଦେବାକୁ ପଡ଼ିବ । ବାସଭବନରୁ ଅଫିସ୍ ଯିବାଆସିବା, ଅଫିସ କାର୍ଯ୍ୟରେ ଭୁବନେଶ୍ୱରରୁ କଟକ ଯିବାଆସିବା ଏବଂ ବ୍ୟକ୍ତିଗତ କାର୍ଯ୍ୟ ନିମନ୍ତେ ସରକାରୀ ଗାଡ଼ି ଉପଯୋଗ ପାଇଁ ମଧ୍ୟ ଭଡ଼ା ଦରରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି ।ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସଚିବ ଓ ତଦୁର୍ଦ୍ଧ୍ୱ, ଅତିରିକ୍ତ ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳଙ୍କ ସମେତ ଆଇଜି ଓ ତଦୁର୍ଦ୍ଧ୍ୱ ପାହ୍ୟାର ଆଇପିଏସ୍ ଅଫିସର, ସିସିଏଫ ଓ ତଦୁର୍ଦ୍ଧ୍ୱ ପାହ୍ୟାର ଆଇଏଫଏସ୍ ଅଫିସର, କମିଶନର ପାହ୍ୟାର ଆଇଏଏସ୍ ଅଫିସରମାନେ( ଚକବନ୍ଦୀ କମିଶନର, ବନ୍ଦୋବସ୍ତ କମିଶନର, ଭୂସଂସ୍କାର କମିଶନର ଆଦି ପଦବୀ ନୁହେଁ) ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସରକାର ଗାଡ଼ିକୁ ସଂଶୋଧିତ ଭଡ଼ା ଦେଇ ଉପଯୋଗ କରିପାରିବେ । ଏବେ ମାସକୁ ସର୍ବାଧିକ ୩୦୦କିମି ପର୍ଯ୍ୟନ୍ତ ବ୍ୟକ୍ତିଗତ କାର୍ଯ୍ୟରେ ସରକାରୀ ଗାଡ଼ିର ଉପଯୋଗ ପାଇଁ ଅଫିସରଙ୍କୁ ୨୫୨୦ଟଙ୍କା ଏବଂ ୩୦୦ରୁ ୫୦୦କିମି ପର୍ଯ୍ୟନ୍ତ ୪୨୦୦ଟଙ୍କା ଦେବାକୁ ପଡ଼ୁଛି । ତେବେ ସଂଶୋଧିତ ଦରରେ ଆସନ୍ତା ଫେବୃୟାରୀ ପହିଲାରୁ ଏହା ଯଥାକ୍ରମେ ମାସିକ ଭଡ଼ା ୩୭୮୦ଟଙ୍କା ଓ ୬୩୦୦ଟଙ୍କା ଦେବାକୁ ପଡ଼ିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |