କୋଲକାତା,୨୦।୧: କୋଲକାତାର ଆରଜି କର ବଳାତ୍କାର-ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ସଞ୍ଜୟ ରାୟଙ୍କୁ ସିଆଲଦା କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ବହୁ ଚର୍ଚ୍ଚିତ ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଦୋଷୀ ସଞ୍ଜୟ ରାୟକୁ ଦଣ୍ଡ ଶୁଣାଇଛନ୍ତି ସିଆଲଦା ସେସନ୍ କୋର୍ଟ । କୋର୍ଟ ଶନିବାର ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ସୋମବାର ଦୋଷୀ ସଞ୍ଜୟ ରାୟକୁ ଆଜୀବନ ସଜା ଶୁଣାଇଛନ୍ତି । ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବ ସଞ୍ଜୟ । ତେବେ କୋର୍ଟଙ୍କ ରାୟ ପରେ ଅନେକ ପ୍ରତିକ୍ରିୟା ସାମନାକୁ ଆସିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କୋର୍ଟଙ୍କ ରାୟରେ ସନ୍ତୁଷ୍ଟ ନଥିବା କହିଛନ୍ତି ।ତେବେ ଏହା ଉପରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ କହିଛନ୍ତି, ଆରଜି କର ମେଡିକାଲ ଘଟଣାର ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିହେବ । ଏପରିକି ଆଜୀବନ ସଜାକୁ ଫାଶୀ ଦଣ୍ଡରେ ପରିବର୍ତ୍ତିତ କରିବା ଲାଗି ମଧ୍ୟ ସୁଯୋଗ ରହିଛି । ସେଥିପାଇଁ ପୀଡ଼ିତାଙ୍କ ପରିବାର ତରଫରୁ କୋଲକାତା ହାଇକୋର୍ଟରେ ଆବେଦନ କରିବାକୁ ହେବ । ସେପଟେ ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ରାୟଙ୍କ ପାଇଁ ମଧ୍ୟ ନ୍ୟାୟପାଳିକାର ଦ୍ୱାର ଖୋଲା ରହିଛି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ । ଏହି ଚର୍ଚ୍ଚିତ ମାମଲା ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇପାରେ ଏବଂ ଚୂଡାନ୍ତ ରାୟ ଆସିବାକୁ ହୁଏତ ୭ ବର୍ଷ ଭଳି ସମୟ ଲାଗିପାରେ ବୋଲି ସେ କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |