ଭୁବନେଶ୍ୱର,୨୫।୧: ଆସନ୍ତାକାଲି ଦେଶବ୍ୟାପୀ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏଥର ରାଜ୍ୟରେ ଗଣତନ୍ତ୍ର ଦିବସ ଭବ୍ୟ ହେବ । ପ୍ରଥମଥର ଓଡିଶା ଉପକୂଳରେ ଥିବା ୧୦ ଦ୍ଵୀପରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଡିଜି, ଆଇଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ କହିବା ପରେ କୋଷ୍ଟଗାର୍ଡ ପକ୍ଷରୁ ଜାଗା ଚିହ୍ନଟ କରାଯାଇଛି। ତେବେ ଏନେଇ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ଶୁକ୍ରବାର ପୂର୍ବାହ୍ଣ ଭୁବନେଶ୍ୱରସ୍ଥିତ ଶାଖା କାର୍ଯ୍ୟାଳୟରେ ପୂର୍ବ ସମୁଦ୍ର ତଟର କୋଷ୍ଟଗାର୍ଡ କମାଣ୍ଡର ଏଡିଜି ଡନି ମିଚେଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଉପକୂଳ ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ଡିଜିପିଙ୍କ ସହିତ ଆଲୋଚନା କରିଥିଲେ। ଏହାସହ ଆଗାମୀ ଦିନରେ ଉପକୂଳ ସୁରକ୍ଷା ନିମନ୍ତେ ଉଭୟ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ବୈଠକରେ ମତପ୍ରକାଶ ପାଇଥିଲା। ଉପକୂଳ ଅଞ୍ଚଳରେ ପାଟ୍ରୋଲିଂ, ଆକାଶମାର୍ଗରୁ ଗତିବିଧି ନିରୀକ୍ଷଣ ଏବଂ ଆଦେଶ ଅନୁଯାୟୀ ସମ୍ପୂର୍ଣ୍ଣ ଉପକୂଳ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ତଟ ସୁରକ୍ଷା ବାହିନୀ ପକ୍ଷରୁ ଓଡ଼ିଶା ପୁଲିସକୁ ସମସ୍ତ ପ୍ରକାର ସହଯୋଗ କରିବା ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଛି।ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟବ୍ୟାପି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସବୁ ପୋଲିସ ଅଧୀକ୍ଷକଙ୍କୁ ଆଲର୍ଟ କରାଯାଇଛି। ଏଥିସହ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିଛି। ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି ବୋଲି ଆଇନ ଶୃଙ୍ଖଳା ଏଡିଜି ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |