ନୂଆଦିଲ୍ଲୀ,୨୫।୧:ରବିବାର ଦେଶ ପାଳିବ ୭୬ତମ ସାଧାରଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ସମାରୋହ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମାରୋହରେ ଦେଶ-ବିଦେଶର ବହୁ ନେତା ଏବଂ ବିଶିଷ୍ଟ ଅତିଥି ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି ।ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ମଲ୍ଟିଲେଭଲ୍ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଚେକିଂ-ବ୍ଲକିଂ ଏବଂ ଛାନଭୀନ ପାଇଁ ୬ ସ୍ତରୀୟ ବ୍ୟବସ୍ଥା କରାଯାଇଛି । ଏହାଛଡ଼ା ମଲ୍ଟିଲେଭଲ୍ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ । ନୂଆଦିଲ୍ଲୀରେ ହଜାରରୁ ଅଧିକ ସ୍ଥାନରେ ସିସିଟିଭି କ୍ୟାମେରା ଇନଷ୍ଟଲ୍ କରାଯାଇଛି । ଯେଉଁଥିରେ ଫେସ୍ ଡିଟେକ୍ସନ ଟେକ୍ନିକ୍ ରହିଛି । ଏଫଆରଏସ ସିଷ୍ଟମ ଲାଗିଥିବା ଗାଡ଼ି ମଧ୍ୟ ମୁତୟନ ହେବ । ଏହାକୁ ସଫଳ ପରିଚାଳନା ପାଇଁ ଦିଲ୍ଲୀରେ ଆଭେଦ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୭୦ରୁ ଅଧିକ କମ୍ପାନି ଅର୍ଦ୍ଧସାମରିକବଳ ଏବଂ ୧୫ ହଜାର ପୋଲିସକର୍ମୀ ରାଜଧାନୀକୁ ଜଗିବେ । ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି, ଦିଲ୍ଲୀ- ଏନସିଆର ଡ୍ରୋନ୍ ଏବଂ କ୍ୟାମେରା ନଜରରେ ରହିବ । ଏହାର ପରିଚାଳନା ପାଇଁ ସାଉବର ବିଶେଷଜ୍ଞ ନିୟୋଜିତ ହେବେ ।ଚଳିତବର୍ଷ ପରେଡରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ମନ୍ତ୍ରଣାଳୟର ମୋଟ ୩୦ଟି ପ୍ରଜ୍ଞାପନ ମେଢ ଅଂଶଗ୍ରହଣ କରୁଥିବା ଜଣାପଡିଛି। ଏଥିମଧ୍ୟରୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୧୫ଟି ଏବଂ ମନ୍ତ୍ରଣାଳୟର ୧୫ଟି ମେଢ ଅନ୍ତର୍ଭୁକ୍ତ। ଏହି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ହେଲା ଆନ୍ଧ୍ର ପ୍ରଦେଶ, ବିହାର, ଗୋଆ, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ, ତ୍ରିପୁରା, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଚଣ୍ଡିଗଡ଼, ଦାଦ୍ରା ନଗର ହାଭେଳି ଓ ଡାମନ ଡିଉ। ପ୍ରଜ୍ଞାପନ ମେଢର ସମ୍ମୁଖ ଭାଗ ହିନ୍ଦୀରେ, ପଛପଟ ଇଂରାଜୀ ଏବଂ ପାର୍ଶ୍ବରେ ଆଞ୍ଚଳିକ ଭାଷାରେ ସଂପୃକ୍ତ ନାମଫଳକ ଲେଖାଯିବ। ଯେଉଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ପ୍ରଜ୍ଞାପନ ମେଢ ତାଲିକା ପାଇଁ ମନୋନୀତ ହୋଇନାହାନ୍ତି, ସେମାନେ ୨୬ରୁ ୩୧ ପର୍ଯ୍ୟନ୍ତ ଲାଲକିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ‘ଭାରତ ପର୍ବ’ରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି। ପ୍ରଜ୍ଞାପନ ମେଢରେ ଲୋଗୋ କିମ୍ବା ଲେଖାକୁ ବାରଣ କରାଯାଇଥିବାବେଳେ ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ସଂଗଠନଗୁଡିକ ସେମାନଙ୍କର ପ୍ରଜ୍ଞାପନ ମେଢରେ ଭର୍ଚୁଆଲ ରିଏଲିଟି ଡିଜାଇନ ପାଇଁ ସିଡି/ଡିଭିଡି ବ୍ୟବହାର କରିପାରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |