ଆଜି ଭାରତ-ଇଂଲଣ୍ଡ ତୃତୀୟ ଟ୍ବେଣ୍ଟି-୨୦

ନୂଆଦିଲ୍ଲୀ,୨୮।୧: ଭାରତ ଓ ଇଂଲଣ୍ଡ ମଧ୍ୟରେ ‌ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ ମଙ୍ଗଳବାର ରାଜକୋଟରେ ଖେଳାଯିବ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ବିରୋଧରେ ଭାରତ ଲଗାତାର ପଞ୍ଚମ ଶୃଙ୍ଖଳା ବିଜୟ ହାସଲ କରିବା ଲକ୍ଷ୍ୟରେ ରହିବ। ପ୍ରଥମ ଦୁଇ ମ୍ୟାଚ୍ ଜିତି ୨-୦ରେ ଆଗୁଆ ଥିବାରୁ ଭାରତ ଆସନ୍ତାକାଲି ହିଁ ଶୃଙ୍ଖଳା ବିଜୟର ମିଠାମିଠା ସ୍ବାଦ ଚାଖିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। କାରଣ ଭାରତ ୨୦୧୪ ମସିହାଠାରୁ ଇଂଲଣ୍ଡ ବିପକ୍ଷରେ କୌଣସି ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିନାହିଁ। ଟିମ୍ ଇଣ୍ଡିଆର ଏହି ଆଧିପତ୍ୟ ୨୦୧୬-୧୭ରୁ ଆରମ୍ଭ ହୋଇଥିଲା। ସେହିବର୍ଷ ଘରୋଇ ପରିବେଶରେ ଇଂଲଣ୍ଡକୁ ୨-୧ରେ ହରାଇବା ପରେ ଇଂଲଣ୍ଡରେ ୨-୧, ପୁଣି ଭାରତରେ ୩-୧ ଏବଂ ତା ପରେ ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ୨-୧ରେ ପରାସ୍ତ କରିଥିଲା। ଭାରତୀୟ ଦଳ ମଧ୍ୟ ୨୦୨୩ ମସିହା ଅଗଷ୍ଟ ମାସରେ ୱେଷ୍ଟଇଣ୍ଡିଜ୍‌ଠାରୁ ହାରିବା ପରଠାରୁ ଲଗାତାର ୭ଟି ଶୃଙ୍ଖଳ‌ାରେ ଅପରାଜେୟ ରହିଛି। ବିଶ୍ବବିଜେତା ଭାରତ ଗତ ଜୁନ୍‌ରେ ବିଶ୍ବକପ୍ ଜିତିବା ପରଠାରୁ ଖେଳିଥିବା ୧୭ ମ୍ୟାଚ୍‌ରୁ ୧୫ଟିରେ ବିଜୟୀ ହୋଇଛି। ନିରଞ୍ଜନ ଶାହା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବଲ ପେସ୍‌ ଓ ବାଉନ୍ସ ହେବ। କିନ୍ତୁ ପିଚ୍‌ ବ୍ୟାଟରଙ୍କୁ ଅଧିକ ସୁହାଇବ। ଏହାପରେ ପ୍ରଥମ ଇନିଂସର ହାରାହାରି ସ୍କୋର ୧୮୯ ରହିଛି। ରନ୍‌ ଚେଜ୍‌ କରିବା କଷ୍ଟକର ହେବ। ମ୍ୟାଚ୍‌ କିନ୍ତୁ ହାଇସ୍କୋରିଂ ହେବ। ଦୁଇ ଦଳ ଏପର୍ଯ୍ୟନ୍ତ ଟି-୨୦ରେ ପରସ୍ପରକୁ ୨୬ଥର ଭେଟିଛନ୍ତି। ଏଥିରୁ ଭାରତ ୧୫ ଓ ଇଂଲଣ୍ଡ ୧୧ଟିରେ ବିଜୟୀ ହୋଇଛି। ଘରୋଇ ମାଟିରେ ଭାରତ ୮ ଓ ଇଂଲଣ୍ଡ ୫ଟିରେ ବିଜୟୀ ହୋଇଛି। ପୁଣି ଗତବର୍ଷ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ରେ ଭାରତ ସେମିଫାଇନାଲରେ ଇଂଲଣ୍ଡକୁ ହରାଇଥିଲା। ତେଣୁ ରେକର୍ଡ ଓ ଫର୍ମରେ ଭାରତ ଆଗରେ ରହିଛି। ଏହି ମ୍ୟାଚ୍‌ରେ ଆଉ ୨ ୱିକେଟ ନେଇ ଅର୍ଶଦୀପ ସିଂହ ପ୍ରଥମ ଭାରତୀୟ ବୋଲର ଭାବେ ୧୦୦ ୱିକେଟ ନେବାକୁ ପ୍ରୟାସ କରିବେ। ସେପଟେ ଇଂଲଣ୍ଡ ପୂର୍ବ ଦୁଇ ମ୍ୟାଚ୍‌ରେ କରିଥିବା ଭୁଲ୍‌କୁ ସୁଧାରି ରାଜକୋଟରେ ବିଜୟ ଖାତା ‌ଖୋଲିବା ସହ ଶୃଙ୍ଖଳା ଜୀବନ୍ତ ରଖିବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ।

ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର ଓ ଧ୍ରୁବ ଜୁରେଲ।

ଇଂଲଣ୍ଡ ଦଳ: ଜୋଶ ବଟଲର (ଅଧିନାୟକ), ହ୍ୟାରୀ ବ୍ରୁକ୍‌ (ଉପ- ଅଧିନାୟକ), ଫିଲ ସଲ୍ଟ, ଜ୍ୟାକବ ବେଥେଲ, ଲିଆମ ଲିଭିଂଷ୍ଟୋନ, ଜୋଫ୍ରା ଆର୍ଚର, ଗସ ଅଟକିନସନ, ବେନ ଡକେଟ, ଜେମି ଓଭରଟନ, ଆଦିଲ ରସିଦ ଓ ମାର୍କ ଉଡ୍‌।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!