ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର,୩ା୨:ଆସନ୍ତାକାଲିଠୁ ଆରମ୍ଭ ହେବ ଖଣ୍ଡଗିରିର ପ୍ରସିଦ୍ଧ ମାଘ ସପ୍ତମୀ ମେଳା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଶାସନ ପକ୍ଷରୁ ମଧ୍ୟ ବନ୍ଦୋବସ୍ତ ହୋଇଛି। ୪ ତାରିଖ ଭୋର୍‌ରୁ ଧୂନି ସ୍ଥାପନ ପରେ ଆରମ୍ଭ ହେବ ମାଘମେଳା। ଏଥିପାଇଁ ଖଣ୍ଡଗିରି ଉଦୟଗିରି ପାଦଦେଶରେ ବିଭିନ୍ନ ସ୍ଥାନରୁ ସାଧୁସନ୍ଥମାନେ ଆସି ଯଜ୍ଞ ପାଇଁ ପ୍ରସ୍ତୁତି କରିସାରିଛନ୍ତି। ସେମାନଙ୍କୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ମଧ୍ୟ ଜମିଲାଣି। ଜମିଲାଣି ଖଣ୍ଡଗିରିରେ ଲୋକଙ୍କ ସମାଗମ।ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ଏଥିସହ ୫ରୁ ସ୍ଥାନୀୟ ପାନ୍ଥିକାଠାରେ ଐତିହ୍ୟ, ସଂସ୍କୃତିର ଗାଥା ପ୍ରଦର୍ଶନ ସହ ମନୋରଞ୍ଜନ କରିବ ଐରଖାରବେଳ ମହୋତ୍ସବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଐତିହ୍ୟ ଖଣ୍ଡଗିରି ଓ ଉଦୟଗିରି ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ଇତିମଧ୍ୟରେ ଖଣ୍ଡଗିରିରେ ନାଗା ସାଧୁଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥଙ୍କ ସମାଗମ ଦେଖିବାକୁ ମିଳୁଛି। ପାହାଡ଼ ପାଦଦେଶରେ ଯଜ୍ଞକୁଣ୍ଡ ତିଆରି କରି ସେ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିବାବେଳେ ସାଧାରଣ ଲୋକେ ସାଧୁସନ୍ଥଙ୍କ ଆଶୀର୍ବାଦ ପାଇଁ ଏବେଠୁ ଭିଡ଼ ଲଗାଇଲେଣି। ଅନ୍ୟପକ୍ଷରେ ଏଥର ପ୍ରଥମଥର ଖଣ୍ଡଗିରି ପାହାଡ ଉପରକୁ ଯିବା ପାଇଁ ଟିକେଟ୍‌ର ବ୍ୟବସ୍ଥା କରାଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ପ୍ରତିବର୍ଷ ୬ଟି ଯାତ୍ରା କମିଟି ପକ୍ଷରୁ ଯାତ୍ରା ଆୟୋଜନ ହେଉଥିବାବେଳେ ଚଳିତ ବର୍ଷ ୭ଟି କମିଟି ଦାୟିତ୍ୱ ନେଉଛନ୍ତି। ତେବେ ୬ଟି ପେଣ୍ଡାଲରେ ୧୨ଟି ଅପେରା ପାର୍ଟି ନାଟକ ପରିବେଷଣ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଶେଷ ମୁହୂର୍ତ୍ତରେ କଳିଙ୍ଗ ଗଣନାଟ୍ୟ ନିଜ ନାଟକ ‘ବାଜିବ ସାହାନାଇ ତୋରି ପାଇଁ’ ମଞ୍ଚସ୍ଥ କରିବ। ଏଥିସହ ଏହି ନାଟ୍ୟ ସଂସ୍ଥା ‘କଳିଙ୍ଗ ସାଂସ୍କୃତିକ ପରିଷଦ’ ନାମରେ କମିଟି ଗଢ଼ି ଏହି ନାଟକକୁ ୪ଦିନ ପରିବେଷଣ କରିବ। ଏନେଇ କମିଟି ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗଠାରୁ ଆବଶ୍ୟକ ଜାଗା ପାଇଁ ଅନୁମତି ଆଣିସାରିଛି ବୋଲି କଳିଙ୍ଗ ଗଣନାଟ୍ୟର ମ୍ୟାନେଜର ମଧୂସୁଦନ ପ୍ରଧାନ କହିଛନ୍ତି। ନାଟକରେ ମୁଖ୍ୟ ଆକର୍ଷଣ ଭାବରେ ଯାତ୍ରା ଦୁନିଆର ଆଗଧାଡିର କଳାକାର ସୁରେଶ ପଣ୍ଡାଙ୍କ ସହ ବହୁ ଚର୍ଚ୍ଚିତ କଳାକାର ଅଭିନୟ କରିବେ।ସେହିପରି ୯ଦିନ ଧରି ଯଜ୍ଞ ସହ ଅନ୍ନପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଉଥିବା ବିଭିନ୍ନ ସେବା ଆଶ୍ରମର ବାବାମାନେ କହିଛନ୍ତି। ଏହି ସ୍ଥାନରେ ରାଧାକୁଣ୍ଡ, ଶ୍ୟାମ କୁଣ୍ଡ ଓ ଲଳିତ କୁଣ୍ଡ ରହିଛି। ଏବେ ବି ରାଧାକୁଣ୍ଡରେ ସନ୍ଥମାନେ ସ୍ନାନ କରୁଛନ୍ତି। ଲଳିତ କୁଣ୍ଡରେ ପ୍ରଭୁ ଅନନ୍ତ କେଶରୀଙ୍କ ଚାପଖେଳ ଅନୁଷ୍ଠିତ ହେବ। ଏବେସୁଦ୍ଧା ଓଡ଼ିଶା, ହରିଦ୍ୱାର, ଗୁଜୁରାଟ ଏବଂ ଝାନ୍ସିରୁ ପ୍ରାୟ ୮୦ରୁ ଊର୍ଦ୍ଧ୍ବ ନାଗା ବାବା ଆସି ପହଞ୍ଚିଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!