ଅହମ୍ମଦାବାଦ,୧୨।୨: ଅହମଦାବାଦ: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ ବୁଧବାର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯାଉଛି। ଇତିହାସ ରଚିଲେ ଭାରତୀୟ ଉପଅଧିନାୟକ ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ। ଏଠାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ମୁକାବିଲାରେ ସେ ୯୫ ବଲ୍ରେ ଶତକ ମାରିଛନ୍ତି। ଏହା ତାଙ୍କ କ୍ୟାରିୟରର ୭ମ ଶତକ। ତେବେ ଏହି ଶତକ ସହ ଗିଲ୍ ଦୁନିଆର ସବୁଠାରୁ ବଡ଼ ମଇଦାନରେ ତିନୋଟି ଯାକ ଫର୍ମାଟରେ ଶତକ ମାରିଥିବା ପ୍ରଥମ ଖେଳାଳି ପାଲଟିଛନ୍ତି।ଏହି ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଭାରତ ବ୍ୟାଟିଂ କରିଥିଲା। ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ବିକେଟ ହରାଇ ୩୫୬ ରନ ସଂଗ୍ରହ କରିଛି । ଫଳରେ ଇଂଲଣ୍ଡ ଆଗରେ ୩୫୭ ରନର ବିଜୟ ଲକ୍ଷ୍ୟ ରହିଛି ।ଏହି ଇନିଂସରେ ଭୁବମନ ଗିଲ ଶତକ ହାସଲ କରିଥିବା ବେଳେ ଅର୍ଦ୍ଧ ଶତକ କରିଛନ୍ତି ବିରାଟ କୋହଲି ଓ ଶ୍ରେୟସ ଆୟର । ଶୁଭମନ ଗିଲ ୧୦୨ ବଲରେ ୧୧୨ ରନ ସଂଗ୍ରହ କରିଛନ୍ତି । ବିରାଟ ୫୫ ବଲରେ ୫୨ ରନ କରିଥିବା ବେଳେ ଶ୍ରେୟସ ଆୟର ୬୪ ବଲରେ ୭୮ ରନ ସଂଗ୍ରହ କରିଛନ୍ତି । ଗିଲ ଅହମ୍ମଦାବାଦ ମଇଦାନରେ ଟେଷ୍ଟ, ଦିନିକିଆ, ଟି୨୦ ଏବଂ ଆଇପିଏଲ୍ରେ ଶତକ ମାରିଛନ୍ତି। ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ସେ ୧୨୮ ରନ୍(ଟେଷ୍ଟ)ର ଇନିଂସ ଖେଳିଥିଲେ। ସେହିଭଳି ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ରେ ୧୨୬ ରନ୍ର ଇନିଂସ ଖେଳିଥିଲେ। ଏବେ ସେ ଇଂଲଣ୍ଡ ବିପକ୍ଷ ଦିନିକିଆରେ ୧୧୨ ରନ୍ର ଇନିଂସ ଖେଳି ତିନୋଟି ଯାକ ଫର୍ମାଟରେ ଶତକର ହାଟ୍ରିକ ପୂରଣ କରିଛନ୍ତି।ରୋହିତ ଶର୍ମା ଏକ ରନ କରି ଆଉଟ ହୋଇଯାଇଥଇବା ବେଳେ କେଏଲ ରାହୁଲ ୪୦, ହାର୍ଦ୍ଦିକ ପାଣ୍ଡ୍ୟା ୧୭, ଅକ୍ଷର ପଟେଲ ୧୩, ଓ୍ବାସିଙ୍ଗଟନ ସୁନ୍ଦର ୧୪, ହର୍ଷିତ ରାଣା ୧୩, ଅର୍ଶଦୀପ ସିଂ ୨ ଓ କୁଲଦୀନ ଯାଦବ ଗୋଟିଏ ରନ କରିଛନ୍ତି ।ଅନ୍ତର୍ଜାତୀୟ କ୍ୟାରିୟର ବିଷୟରେ କହିଲେ ଗିଲ୍ଙ୍କ ଏହା ୧୩ ଶତକ। ସେ ଟେଷ୍ଟ କ୍ରିକେଟରେ ୭, ଦିନିକିଆରେ ୫, ଟି୨୦ରେ ୧ ଶତକ ମାରିଛନ୍ତି। ତେବେ ଏବେ ଗିଲ ଶତକ ସହ ଦିନିକିଆ କ୍ରିକେଟରେ ୨୫୦୦ ରନ୍ ପୂରଣ କରିଛନ୍ତି। ସେ ଏଯାବତ ୫୦ ମ୍ୟାଚ୍ ଖେଳିଥିବା ବେଳେ ୧୦୧.୯୩% ହାରରେ ୨୫୮୭ ରନ୍ କରିଛନ୍ତି। ୨୦୮ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |