ଭୁବନେଶ୍ୱର: ୨୦୨୫-୨୬ ବର୍ଷର ରାଜ୍ୟ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚଳିତ ଥର ରାଜ୍ୟ ବଜେଟର ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଛି । ମୋହନ ମାଝୀଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ବଜେଟ୍ ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ରାଜ୍ୟର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ। ଉତ୍କର୍ଷ ଓଡ଼ିଶା ଜରିଆରେ ୫୯୩ ପ୍ରକଳ୍ପକୁ ଗ୍ରହଣ କରାଯାଇଛି।ମୋଟ ୧୬ ଲକ୍ଷ ୭୩ ହଜାର କୋଟି ପୁଞ୍ଜି ନିବେଶ ଲକ୍ଷ୍ୟ ରଖାଯାଇଛି। ସେହିପରି ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ନେଇ ଆଶାବାଦୀ ରହିଛୁ। ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ସମ୍ବଳ ବିନିଯୋଗ ଲକ୍ଷ୍ୟ ରଖିଛୁ। ଏହାସହ ଗ୍ରାମାଞ୍ଚଳରେ ଅଧିକ ପୁଞ୍ଜି ନିବେଶ କରି ବିକାଶ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ବଜେଟରେ ବିଭିନ୍ନ କ୍ଷେତ୍ରକୁ ଧ୍ୟାନ ଦିଆଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ଖେଳ, ମତ୍ସ୍ୟ ଓ ପଶୁପାଳନ, ପେନସନ୍ ଭଳି ସମସ୍ତ ଜିନିଷକୁ ଗୁରୁତ୍ୱ ଦିଆଯାଇଛି।ଚଳିତ ବଜେଟ୍ରେ ପୁଞ୍ଜିଗତ ବ୍ୟୟ ପାଇଁ ୬୫,୦୧୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ଆବଣ୍ଟନ ରାଜ୍ୟ ଜିଡିପିର ୬.୧ ପ୍ରତିଶତ, ଯାହା ଦେଶର ଅନ୍ୟ ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ ।୨୦୨୫-୨୬ ବଜେଟ୍ରେ ବିଭିନ୍ନ କାର୍ଯ୍ୟକ୍ରମରେ ଖର୍ଚ୍ଚ ପାଇଁ ୧,୭୦,୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି, ଯାହା ମୋଟ ବଜେଟ୍ର ୫୯ ପ୍ରତିଶତ । ସେହିପରି ପରିଚାଳନାଗତ ଖର୍ଚ୍ଚ ପାଇଁ ୧,୦୮,୦୦୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଡିଆର୍ଏମ୍ଏଫ୍ ପାଇଁ ୪୦୦୦ କୋଟି ଟଙ୍କା । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ୩୩୧୧ କୋଟି ଟଙ୍କା ଏବଂ ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ୪୫୫୯ କୋଟି ଟଙ୍କା ପଞ୍ଚାୟତ ଏବଂ ପୌରାଞ୍ଚଳକୁ ଦିଆଯିବ ।ରାଜ୍ୟର ମୋଟ ପ୍ରସ୍ତାବିତ ବଜେଟ୍ ୨,୯୦,୦୦୦ କୋଟି ଟଙ୍କା । ରାଜସ୍ୱ ଆୟ ଲକ୍ଷ୍ୟ ୨,୩୨,୦୦୦ କୋଟି ଟଙ୍କା । ରାଜ୍ୟର ଆୟ ନିଜସ୍ୱ ଟିକସ ୬୬ ହଜାର କୋଟି, ନିଜସ୍ୱ ଅଣ ଟିକସ ରାଜସ୍ୱ ୬୦ ହଜାର କୋଟି, କେନ୍ଦ୍ର ଟିକସରୁ ରାଜ୍ୟ ଭାଗ ୬୪,୪୦୮ କୋଟି ଟଙ୍କା, କେନ୍ଦ୍ରୀୟ ଅନୁଦାନ ୪୧,୫୯୨ କୋଟି ଟଙ୍କା । ଋଣ ଏବଂ ଅନ୍ୟ ମାର୍ଗରୁ ୫୮,୦୦୦ କୋଟି ଟଙ୍କା । ବଜେଟରେ ରାଜସ୍ୱ ବଳକା ରାଜ୍ୟ ଜିଡିପିର ୩ ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଛି । ସେହିପରି ୨୦୨୫-୨୬ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ରାଜ୍ୟ ଜିଡିପିର ୩.୨ ପ୍ରତିଶତ ରହିବା ନେଇ ଲକ୍ଷ୍ୟ ରଖାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |