ନୂଆଦିଲ୍ଲୀ,୧୮।୨: ଜ୍ଞାନେଶ କୁମାର ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଚୟନ କମିଟି ବୈଠକରେ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ଜ୍ଞାନେଶ କୁମାରଙ୍କୁ ନିଯୁକ୍ତି ମିଳିଛି । ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନର ସିଇସି ରାଜୀବ କୁମାର ଆଜି ଅବସର ନେବେ । ଏହାପରେ ରାଜୀବ କୁମାରଙ୍କ ସ୍ଥାନ ଜ୍ଞାନେଶ ନେବେ । ୧୯ ତାରିଖରେ ସେ ନୂତନ ଦାୟିତ୍ୱ ଗ୍ରହଣ କରିବେ ।୧୯୮୮ ବ୍ୟାଚର କେରଳ କ୍ୟାଡର IAS ହେଉଛନ୍ତି ଜ୍ଞାନେଶ କୁମାର । ସେ ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସ୍ଥାନ ନେବେ ।ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ କାର୍ଯ୍ୟକାଳ ସରୁଛି । ତାଙ୍କ ସ୍ଥାନରେ ଜ୍ଞାନେଶ କୁମାରଙ୍କୁ ନିଯୁକ୍ତ କରାଯାଇଛି । ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ବ ନେବେ । ଦେଶର ନୂଆ ସିଇସି ଭାବେ ଜ୍ଞାନେଶ କୁମାର ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନ ସମେତ ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ଆସାମ ନିର୍ବାଚନ ପରିଚାଳନା କରିବେ । ୧୯୮୮ ବ୍ୟାଚର କେରଳ କ୍ୟାଡର IAS ହେଉଛନ୍ତି ଜ୍ଞାନେଶ କୁମାର । ୧୯୬୪ ଜାନୁଆରୀ ୨୭ରେ ଉତ୍ତରପ୍ରଦେଶ ଆଗ୍ରାଠାରେ ତାଙ୍କର ଜନ୍ମ । ପୂର୍ବରୁ ସେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଥିଲେ । ଏପରିକି ସେ ରାମ ମନ୍ଦିର ନିର୍ମାଣ କମିଟିର ସଦସ୍ୟ ରହିଥିଲେ । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ ଓ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ନିଷ୍ପତ୍ତି ଲାଗୁ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଏଥିସହ କେରଳର ଏର୍ଣ୍ଣାକୁଲମରେ ଆସିଷ୍ଟାଣ୍ଟ କଲେକ୍ଟର, ଆଦୂରରେ ଡେପୁଟି କଲେକ୍ଟର, କେରଳ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ନିଗମର ପ୍ରବନ୍ଧ ନିର୍ଦ୍ଦେଶକ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିସାରିଛନ୍ତି ।୨୦୨୯ ଜାନୁୟାରୀ ୨୬ ଯାଏ ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାଳ ରହିଛି । ୨୦୨୭ରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ସହିତ ୨୦୨୯ ଲୋକସଭା ନିର୍ବାଚନ ଘୋଷଣା ପରେ ସେ ଅବସର ନେବାର ଆଶା କରାଯାଉଛି । ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ସମ୍ପର୍କିତ ଚୟନ କମିଟିରେ ପିଏମ୍ ମୋଦିଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାମିଲ ଥିଲେ । ୧୯୮୯ ବ୍ୟାଚ୍ IAS ବିବେକ୍ ଯୋଶୀଙ୍କୁ ନିର୍ବାଚନ କମିଶନର ନିଯୁକ୍ତ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |