ଆରଡି,୨୪।୨: ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡ଼ିଧାମର ଅଧିଶ୍ୱର ବାବା ଆଖଣ୍ଡଳମଣିଙ୍କ ପୀଠରେ ଭୋର୍ ସାଢ଼େ ୪ଟାରେ ମହାଦୀପ ଉଠିବ। ଜାଗର ଯାତ୍ରା କମିଟି ଅଧ୍ୟକ୍ଷ ତଥା ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଚୂଡ଼ାନ୍ତ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜିର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ୨୫ ତାରିଖ ଦିନ ଏକବାର ନୀତି ଓ ନେତଲାଗି ହେବାକୁ ଥିବା ବେଳେ ୨୬ ତାରିଖରେ ଜାଗରଯାତ୍ରା ଅନୁଷ୍ଠିତ ହେବ। ଉକ୍ତ ଦିନ ରାତି ୧ଟା ୩୦ରୁ ବାବା ଆଖଣ୍ଡଳମଣିଙ୍କ ସୁନାବେଶ ଅନୁଷ୍ଠିତ ହେବ। ଭୋର୍ ସାଢ଼େ ୩ଟା ପର୍ଯ୍ୟନ୍ତ, ୨ଘଣ୍ଟା ଧରି ଭକ୍ତମାନେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରିପାରିବେ। ପରେ ଭୋର୍ ସାଢ଼େ ୪ଟାରେ ମହାଦୀପ ମନ୍ଦିର ଚୂଡ଼ାକୁ ଉଠିବ। ଭକ୍ତମାନଙ୍କର ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯିବ। ଅପରପକ୍ଷେ, ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏବର୍ଷ ପୀଠରେ ଜାଗରଯାତ୍ରା ମହୋତ୍ସବ ୨ଦିନ ଧରି ପାଳନ କରାଯିବ।ସେହିପରି ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ନିକଟରେ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ଦକ୍ଷିଣ ଦ୍ୱାରର ନୂତନ ମୁଖଚାଳି ଦ୍ୱାର ଦେଇ ବ୍ୟାରିକେଡ୍ରେ ଆସିବା ପରେ ମନ୍ଦିର ଭିତର ବେଢ଼ାକୁ ପ୍ରବେଶ କରିବେ ଏବଂ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ କରିବେ। ଆଜିର ଏହି ସମନ୍ବୟ ବୈଠକରେ ମନ୍ଦିର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଚାନ୍ଦବାଲି ବିଡିଓ, ତହସିଲଦାର ଭବତୋଷ ମଲିକ, ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ଶେଖର, ଧୂଷୁରୀ ଥାନାଧିକାରୀ ଶାନ୍ତନୁ ଜେନା, ଟ୍ରଷ୍ଟବୋର୍ଡ ସଭ୍ୟ ସରୋଜ ଦାଶ, ସେବାୟତ ପ୍ରତିନିଧି ସନ୍ତୋଷ ପାଢ଼ୀଙ୍କ ସହ ମନ୍ଦିରର ବରିଷ୍ଠ ସେବାୟତ, ଜିଲ୍ଲା ଓ ଚାନ୍ଦବାଲି ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ପୂର୍ବାଞ୍ଚଳ ଡିଆଇଜି ଡ. ସତ୍ୟଜିତ ନାୟକ, ଭଦ୍ରକ ଏସପି ସନ୍ଦୀପ ମଡକର ସମ୍ପଦ, ଏଏସପି ଅଂଶୁମାନ ଦ୍ୱିବେଦୀଙ୍କ ସହ ବହୁ ବରିଷ୍ଠ ପୁଲିସ ଅଧିକାରୀ ପୀଠରେ ଘନଘନ ସ୍ଥିତି ପରଖିବା ସହ ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |