ନୂଆଦିଲ୍ଲୀ,୨୪/୦୨: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ । ଆଜି ଚଳିତ ଚମ୍ପିଆନ୍ସ ଟ୍ରଫିର ୬ଷ୍ଠ ମ୍ୟାଚ୍ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ଗ୍ରୁପ୍ ‘ଏ’ରେ ଏହା ଉଭୟ ଦଳଙ୍କ ୨ୟ ମ୍ୟାଚ୍ ହେବ। ପ୍ରଥମ ମ୍ୟାଚ୍ରେ ଆୟୋଜକ ପାକିସ୍ତାନକୁ ସହଜରେ ୬୦ ରନ୍ରେ ନ୍ୟୁଜିଲାଣ୍ଡ ପରାସ୍ତକରି ଦୃଢ଼ ଆତ୍ମବିଶ୍ବାସ ହାସଲ କରିଛି। ଅନ୍ୟପକ୍ଷରେ ଭାରତଠାରୁ ୬ ୱିକେଟ୍ରେ ବାଂଲାଦେଶ ପରାସ୍ତ ହୋଇଛି। ସୋମବାରର ମ୍ୟାଚ୍ ଜିତିଲେ ନ୍ୟୁଜିଲାଣ୍ଡ ସେମିଫାଇନାଲ ଆଡ଼କୁ ଆଉ ପାଦେ ଅଗ୍ରସର ହେବ। ନ୍ୟୁଜିଲାଣ୍ଡ ଶ୍ରେଷ୍ଠ ଫର୍ମରେ ରହିଛି । ପ୍ରଥମ ମ୍ୟାଚ୍ରେ ଆୟୋଜକ ପାକିସ୍ତାନକୁ ପରାଜିତ କରିଥିଲା । ତେଣୁ ବାଂଲାଦେଶକୁ ମାତ୍ ଦେଇ ଦଳ ସେମି ଫାଇନାଲ ଟିକେଟ୍ ପକ୍କା କରିବାକୁ ଚେଷ୍ଟା କରିବ । ଶେଷ ଥର ଦିନିକିଆରେ ଦୁଇ ଦଳ ୨୦୨୩ରେ ମୁହାଁମୁହିଁ ହୋଇଥିଲେ । ବାଂଲାଦେଶ ୯ ୱିକେଟ୍ରେ ବିଜୟୀ ହୋଇଥିଲା । ଏପଟେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ ଟିମ୍ । ଦଳ ପକ୍ଷରୁ ୱିଲ ୟଙ୍ଗ୍ ଏବଂ ଟମ୍ ଲାଥମ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିଲେ । ଫଳରେ ଦଳ ଘରୋଇ ଦଳକୁ ୬୦ ରନ୍ରେ ପରାଜିତ କରିବାରେ ସଫଳ ହୋଇଥିଲା । ଦଳର ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ ରହିଛି । ମ୍ୟାଟ୍ ହେନରି, ୱିଲ ଓ’ରାଉର୍କେ ଓ ମିଚେଲ ସାଣ୍ଟନର ଉନ୍ନତ ବୋଲିଂ କରିଥିଲେ । ସେହି ଅନୁସାରେ ବାଂଲାଦେଶ ସେମିତି ପ୍ରଭାବୀ ପ୍ରଦର୍ଶନ ଭାରତ ବିପକ୍ଷରେ ଦେଇ ପାରିନଥିଲା । ଏହି ମ୍ୟାଚ୍ ଉପରେ ପାକିସ୍ତାନର ଶେଷ ଆଶା ନିର୍ଭର କରୁଛି । ଯଦି ବାଂଲାଦେଶ ମ୍ୟାଚ୍ ବିଜୟୀ ହୁଏ, ତେବେ ଭାରତ-ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ-ପାକିସ୍ତାନ ମ୍ୟାଚର ଫଳାଫଳ ଉପରେ ଦ୍ୱିତୀୟ ଦଳର ସେମି ଫାଇନାଲ ନିର୍ଭର କରିବ । ନ୍ୟୁଜିଲାଣ୍ଡ ନେଟ୍ ରନରେଟ୍ରେ ବହୁ ଆଗରେ ରହିଥିବାବେଳେ ପାକିସ୍ତାନ ୨ଟି ମ୍ୟାଚ୍ ହାରିବା ପରେ ସ୍ଥିତି ଅତି ସଙ୍ଗୀନ ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |