ଭୁବନେଶ୍ୱର,୨୫ା୨: ଆସନ୍ତାକାଲି ମହାଶିବରାତ୍ରୀ । ଲିଙ୍ଗରାଜ ପ୍ରଭୁଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ରାତି ୧୦ଟାରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବ। ପ୍ରଭୁ ଲିଙ୍ଗରାଜ ସମେତ ବିଭିନ୍ନ ଶୈବପୀଠରେ ଭକ୍ତ ଭିଡ଼ ଜମିବ। ଏଥିପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ରାଜଧାନୀରେ ଲାଗୁ ହୋଇଛି ଟ୍ରାଫିକ କଟକଣା।ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ଉପଲକ୍ଷେ ଯାନବାହନ ଚଳାଚଳ ତଥା ପଥଚାରୀଙ୍କ ସୁବିଧା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି। ଏହି ସମୟରେ ଯେଭଳି ରାସ୍ତାରେ ଭିଡ଼ ନହୁଏ କିମ୍ବା ଜାମ୍ କୁ ନେଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ତାହା ଉପରେ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ରଥ ରୋଡ୍ ଏବଂ ପୁନମାଗେଟ୍ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ି ଗୁଡ଼ିକ ବଢ଼େଇବାଙ୍କ ଛକଠାରୁ ଆଗକୁ ନଯାଇ ବିଏମ୍ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିବେ।ସେହିପରି କେଦାରଗୌରୀ ମନ୍ଦିର ପଟୁ ଓ ସାନିଟାରୀୟମ ଛକ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ କୋଟିତୀର୍ଥ ଗଳି ଦେଇ କଚେରୀ ପିଣ୍ଡି ରାସ୍ତାରେ ଯାଇ ତରଙ୍ଗ କ୍ଲବ ପଛପଟେ ଥିବା ଖାଲି ସ୍ଥାନରେ ଗାଡ଼ି ରଖିପାରିବେ। ଅନ୍ୟପକ୍ଷରେ ପାର୍କିଂ ପାଇଁ ୧୨ଟି ସ୍ଥାନ ଚିହ୍ନଟ ହୋଇଛି।ସମସ୍ତ ନୀତିକାନ୍ତି ଯେପରି ସୂଚାରୁ ରୂପେ ସଂପନ୍ନ ହେବ ଏବଂ ଭକ୍ତ ଯେଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ଓ ଦୀପ ଜାଳିବେ, ସେନେଇ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁପରିଚାଳନା ପାଇଁ ୩୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୨ଶହରୁ ଅଧିକ ପୋଲିସ ଅଧିକାରୀ ନିଯୁକ୍ତ ହେବେ ବୋଲି ପୋଲିସ କମିଶନର କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |