ପ୍ରୟାଗରାଜ,୨୬।୩: ମହାକୁମ୍ଭର ଆଜି ସମାପନ ଦିବସ। ଇତିମଧ୍ୟରେ ସୋମବାର ସନ୍ଧ୍ୟା ସୁଦ୍ଧା ୬୩ କୋଟି ୩୬ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଛନ୍ତି। ଆଜି ମହାଶିବରାତ୍ରୀ ଶେଷ ସାହୀ ସ୍ନାନ ଥିବାରୁ ପାଖାପାଖି ୧ରୁ ୧.୫ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବା ସମ୍ଭାବନା ରହିଛି। ରେକର୍ଡ ଶ୍ରଦ୍ଧାଳୁଙ୍କ ପବିତ୍ର ବୁଡ଼ ପାଇଁ ସବୁ ଦୃଷ୍ଟିରୁ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି। ଶ୍ରଦ୍ଧାଳୁଙ୍କ ଆସ୍ଥା, ବିଶ୍ବାସ ଓ ଭକ୍ତିର ଦିବ୍ୟ ଅନୁଭୂତି ଦେବା ପାଇଁ ସୁରକ୍ଷା ଓ ସହଜ ସ୍ନାନ ଲାଗି ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଅଭୂତପୂର୍ବ ବ୍ୟବସ୍ଥା ଗ୍ରହଣ କରାଯାଇଛି।ପ୍ରୟାଗରାଜରେ ତ୍ରିବେଣୀ ସଙ୍ଗମରେ ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭ ଆସନ୍ତାକାଲି ଶେଷ ହେବାକୁ ଯାଉଛି। ଶେଷ ଦିବସ ପୂର୍ବରୁ ମଙ୍ଗଳବାର ପ୍ରାୟ ୧ କୋଟି ୧୦ ଲକ୍ଷ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲା ବେଳେ ପବିତ୍ର ଶିବରାତ୍ରିରେ ଆସନ୍ତାକାଲି ଅମୃତ ସ୍ନାନ ସହିତ ଶେଷ ସ୍ନାନ ପାଇଁ ପ୍ରାୟ ଏକ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେବ ବୋଲି ଆକଳନ କରାଯାଇଛି। ମଙ୍ଗଳବାର ଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ବଢୁଥିବାରୁ ଅପରାହ୍ନ ୪ଟାରୁ ପ୍ରୟାଗରାଜକୁ ଯାନ ଚଳାଚଳ ବନ୍ଦ କରିଦିଆଯାଇଛି। ପ୍ରୟାଗରାଜ ଏବଂ ମେଳା ଅଞ୍ଚଳକୁ ‘ନୋ ଭେଇକିଲ’ ଜୋନ ଘୋଷଣା କରାଯିବା ସହିତ ମହାଶିବ ରାତ୍ରି ପାଇଁ ମହାକୁମ୍ଭ ଆୟୋଜନ ପ୍ରାଧିକରଣ ପକ୍ଷରୁ ବିଭିନ୍ନ ଦିଗରେ ପଦକ୍ଷେପ ନିଆଯାଇଛି। ବିଶେଷକରି ଶେଷ ଦିବସରେ ଭିଡ଼ ବଢିବାକୁ ଥିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଭାବେ ପଦକ୍ଷେପ ନିଆଯାଇଛି। ସମନ୍ବିତ କଣ୍ଟ୍ରୋଲ ଏବଂ କମାଣ୍ଡ ସେଣ୍ଟର ପକ୍ଷରୁ ଭିଡ଼ ଉପରେ ନଜର ରଖାଯାଇ ଶେଷ ଦିବସ କାର୍ଯ୍ୟକ୍ରମକୁ ସୁରୁଖୁରରେ ପରିଚାଳନା କରିବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି। ମେଳାକୁ ଆସୁଥିବା ଲୋକମାନଙ୍କ ଉପରେ ନଜର ରଖୀବା ସହିତ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଗଣତି ଲାଗି ୧୭ଟି ଡ୍ରୋନ ସେଣ୍ଟର ମାଧ୍ୟମରେ କାର୍ଯ୍ୟ ପରିଚାଳନା କରାଯାଉଛି। ଏଥିମଧ୍ୟରୁ ତିନୋଟି ସେଣ୍ଟର କୃତ୍ରିମ ବୁଦ୍ଧିମତା (ଏଆଇ) ଦ୍ବାରା କାର୍ଯ୍ୟ ପରିଚାଳନା କରାଯାଉଥିଲା ବେଳେ ମୁଖ ଚିହ୍ନଟ (ଫେସ୍ ରିକକନାଇଜେସନ) ପ୍ରକ୍ରିୟାରେ ଲୋକଙ୍କ ସଂଖ୍ୟା ଗଣତି କରାଯାଉଛି। ପ୍ରତି ବର୍ଗ ମିଟର ପରିମିତ ଅଞ୍ଚଳରେ ୩,୬ ଲୋକ ରହିଥିବା କୁହାଯାଇଛି। ଆସନ୍ତାକାଲି ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଲାଗି ୩୦ଟି ଘାଟ ଉନ୍କୁକ୍ତ କରାଯିବା ସହିତ ନିକଟତମ ଘାଟରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁମାନଙ୍କୁ କୁହାଯାଇଛି। ଏହାବ୍ୟତୀତ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଅସ୍ଥାୟୀ ଭାବେ ବ୍ୟବସ୍ଥା କରାଯାଇଥିବା ପୋଲଗୁଡିକୁ ମଧ୍ୟ ଆସନ୍ତାକାଲି ବ୍ୟବହାର କରାଯିବ। ଭିଡ଼କୁ ଦୃଷ୍ଟିରେ ରଖୀ ମେଳା ପ୍ରାଧିକରଣ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ,ଆଇସିୟୁ ଏବଂ ପ୍ରସବ ପାଇଁ ମଧ୍ୟ ସ୍ବତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯାଇଛି। ଯଦି ଭିଡ଼ରେ କେହି ହଜିଯାଏ ତେବେ ତାଙ୍କୁ ପାଇବା ଲାଗି ମେଳା ଆୟୋଜନକାରୀଙ୍କ ପକ୍ଷରୁ ‘ବୁଲା ଭଟକା କେନ୍ଦ୍ର’ ନାମରେ ଏକ ସ୍ବତନ୍ତ୍ର କେନ୍ଦ୍ର କାର୍ଯ୍ୟକାରୀ କରାଯାଇଛି। ଡିଜିଟାଲ ଉପାୟରେ କାର୍ଯ୍ୟ କରୁଥିବା ଏହି କେନ୍ଦ୍ର ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ମେଳାରେ ହଜିଯାଇଥିବା ୨୦ ହଜାର ଲୋକଙ୍କୁ ସେମାନଙ୍କ ପରିବାର ଲୋକ ପାଇଥିବା କୁହାଯାଇଛି। ଦୀର୍ଘ ୪୫ ଦିନ ଧରି ଚାଲିଥିବା ଏହି ମହାକୁମ୍ଭ ମେଳାରେ ୪୫ କୋଟି ଶ୍ରଦ୍ଧାଳୁଙ୍କ ଆଗମନ ହେବ ବୋଲି ପ୍ରାକ୍ ଆକଳନ କରାଯାଇଥିଲା। କିନ୍ତୁ ମେଳା ଶେଷ ସୁଦ୍ଧା ଏହି ସଂଖ୍ୟା ୬୫ କୋଟି ଅତିକ୍ରମ କରିବ ବୋଲି କୁହାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |