ନବ ଦାସ ହତ୍ୟା ମାମଲା ,ପ୍ରକୃତ ଦୋଷୀକୁ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ

ଭୁବନେଶ୍ୱର, ୧୯।୩: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଉଚିତ୍ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ। ବିଜେଡି ନେତା ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ନବ ଦାସଙ୍କ ପରିବାର ଭେଟିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ ନବ ଦାସଙ୍କ ଝିଅ ଦୀପାଳି ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସିବିଆଇ ତଦନ୍ତ ପାଇଁ ପରିବାର ତରଫରୁ ଅନୁରୋଧ କରାଯାଇଛି। ଏହାସହ ବାପାଙ୍କ  ହତ୍ୟା ପରେ ଆମ ପରିବାର ଅସୁରକ୍ଷିତ ଅନୁଭବ କରୁଛି। ତେଣୁ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛୁ। ସ୍ୱର୍ଗତ ଦାସଙ୍କ ପତ୍ନୀ ମୀନତି ଦାସ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ହତ୍ୟାକାଣ୍ଡର ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ତାଙ୍କ କନ୍ୟା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁତ୍ର ବିଶାଳ ଦାସ ମଧ୍ୟ ଉପସ୍ଥିତ ଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁଭଳି ଭାବେ ଏହି ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ। ଏହି ଘଟଣାରେ ସରକାର ସବୁ ଦିଗକୁ ପୁଣି ଥରେ ତନ୍ନ ତନ୍ନ କରି ପରୀକ୍ଷା କରିବେ ଏବଂ ପ୍ରକୃତ ଦୋଷୀକୁ ଖୋଜି ବାହାର କରିବେ। ଆଇନର ମର୍ଯ୍ୟାଦା ମଧ୍ୟରେ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଥିଲେ।ଶ୍ରୀମତୀ ଦାସଙ୍କୁ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଯେ କୌଣସି ସମୟରେ ତାଙ୍କୁ ବ୍ୟକ୍ତିଗତ ଭାବେ ଏ ସମ୍ପର୍କରେ ଅବଗତ କରାଇପାରିବେ । ସେ ନିଜେ ଓ ତାଙ୍କ ସରକାର ନ୍ୟାୟ ସପକ୍ଷରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!