ଭୁବନେଶ୍ୱର,୨୬ା୩ :ମାଷ୍ଟରକ୍ୟାଣ୍ଟିନ୍ ରେ କଂଗ୍ରେସ ବିଧାୟକମାନଙ୍କ ଧାରଣା ଜାରି ରହିଛି। ବିଧାୟକମାନଙ୍କ ସହ କଂଗ୍ରେସ କର୍ମୀମାନେ ବି ଧାରଣାରେ ବସିଛନ୍ତି। ତେବେ ଆଜି ସକାଳେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଣେ ଆଜି ବି ନିଲମ୍ବିତ କଂଗ୍ରେସ ବିଧାୟକମାନଙ୍କ ସହ ୧୪ ବିଧାୟକ ଘଣ୍ଟ, ଗିନି, ତୁରୀ ବଜାଇ ବିଧାନସଭାକୁ ଯିବେ। ଯଦି ନିଲମ୍ବିତ କଂଗ୍ରେସ ବିଧାୟକମାନଙ୍କୁ ଗୃହରେ ପ୍ରବେଶଲାଗି ଅନୁମତି ଦିଆଯିବ, ତେବେ ସମସ୍ତେ ବିଧାନସଭାକୁ ଯିବେ, ତାହା ନହେଲେ କେହି ବିଧାୟକ ଗୃହ ଭିତରକୁ ଯିବେ ନାହିଁ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି। ଗୋଟିଏପଟେ କଂଗ୍ରେସର ଘଣ୍ଟ, କରତାଳି ମାଡ଼ ଓ ଅନ୍ୟପଟେ ବିଜେଡି ନାରାବାଜିରେ ମଙ୍ଗଳବାର କମ୍ପିଥିଲା ବିଧାନସଭା। ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ଗୃହରେ କମ୍ପମାନ କରିଥିବାବେଳେ ପ୍ରମୁଖ ବିରୋଧୀ ବିଜେଡି ସଦସ୍ୟଙ୍କ ଏସ୍ସି, ଏସ୍ଟି ଏବଂ ଓବିସିଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂଖ୍ୟାନୁପାତିକ ସଂରକ୍ଷଣ ଏବଂ ଜାତିଭିତ୍ତିକ ଜନଗଣନା ଦାବିରେ ଗୃହ ଏକପ୍ରକାର ଅଚଳାବସ୍ଥାକୁ ଚାଲିଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ବିରୋଧୀ କିଛି ଶୁଣିବା ଅବସ୍ଥାରେ ନ ଥିଲେ। ବାଚସ୍ପତି ସୁରମା ପାଢ଼ୀ ବାରମ୍ବାର ସଦସ୍ୟଙ୍କୁ ନିଜ ଆସନକୁ ଯିବାକୁ ଅନୁରୋଧ କରିଥିଲେ ହେଁ ସେମାନେ କର୍ଣ୍ଣପାତ କରି ନ ଥିଲେ। ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ହେଲେ ତାହା ନିଷ୍ଫଳ ହୋଇଥିଲା। ବାରମ୍ବାର ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ୪ଟି ପର୍ଯ୍ୟାୟରେ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଦେଲେ। ଫଳରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଧୋଇଯାଇଥିଲା।ବିଧାନସଭା ଚାରିପାଖରେ ବିଏନଏସ ୧୬୩ ଧାରା ଲାଗୁ ହୋଇଛି । କଂଗ୍ରେସ କର୍ମୀଙ୍କ ଧାରଣାକୁ ନେଇ ଏହି ଧାରା ଲାଗୁ ହୋଇଥିବା ଜଣାପଡିଛି । ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତାଙ୍କୁ ପୋଲିସ ଉଠାଇନେଇଛି । ନିଲମ୍ବିତ ବିଧାୟକଙ୍କୁ ଭେଟିବାକୁ ଅନୁମତି ମଧ୍ୟ ମିଳିଲାନାହିଁ ।ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ ଓ ନାରାବାଜି କରିଥିଲେ। କଂଗ୍ରେସର ବରିଷ୍ଠ ସଦସ୍ୟ ତାରାପ୍ରସାଦ ବାହିନୀପତି ଘଣ୍ଟ ମାଡ଼କରି ଗୃହକୁ ହୁଲସ୍ଥୂଲ କରିଦେଇଥିଲେ। ଏଥିସହ କଂଗ୍ରେସର ଅନ୍ୟ ସଦସ୍ୟମାନେ କରତାଳି ଓ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ସେହିପରି ବିଜେଡି ସଂରକ୍ଷଣ ପ୍ରସଙ୍ଗରେ ପ୍ଲାକାର୍ଡ ଧରି ପ୍ରବଳ ସ୍ଲେଗାନ ଦେଇଥିଲା। ଫଳରେ ଗୋଟିଏ ମିନିଟ୍ ମଧ୍ୟ ଗୃହ ସୁରୁଖୁରୁରେ ଚାଲିବା ସମ୍ଭବପର ହୋଇପାରି ନ ଥିଲା।ଗୃହ ବାହାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ, ମା’ମାନଙ୍କ ସୁରକ୍ଷା ପାଇଁ କଂଗ୍ରେସ ଗୃହ କମିଟି ଦାବିକରି ଆସୁଛି। ସରକାର ନିଦାବିଷ୍ଣୁ ସାଜିଛନ୍ତି। ସେଥିପାଇଁ ଆମେ ବିଧାନସଭା ଗୃହ ତଥା ପବିତ୍ର ମନ୍ଦିରରେ ଘଣ୍ଟମାଡ଼ କରୁଛୁ। ଭାବୁଛୁ ସରକାର ଟିକେ ଚେତିବେ, ହେଲେ ତାଙ୍କର ନାରୀଙ୍କ ପ୍ରତି ଟିକିଏ ବି ସମ୍ମାନ ନାହିଁ। ଯେପର୍ଯ୍ୟନ୍ତ ସେମାନେ ଗୃହ କମିଟି ଗଠନ ପାଇଁ ରୁଲିଂ ଦେଇନାହାନ୍ତି ସେପର୍ଯ୍ୟନ୍ତ କଂଗ୍ରେସ ପ୍ରତିବାଦ କରିବ ବୋଲି କାଡ଼ାମ କହିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |