ଆଜିଠୁ ୩ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ହିଟୱେଭ୍ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୨୮/୦୩: ରାଜ୍ୟରେ  ଆଜିଠୁ ୩ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବ । ଏନେଇ ୩ ଦିନ ପାଇଁ ହିଟୱେଭ୍ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ । ୪୦ ଡିଗ୍ରୀ କିମ୍ବା ତା’ଠୁ ଅଧିକ ରହିବ ପାରଦ । ଆଜି ପାଇଁ ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଝାରସୁଗୁଡ଼ା ୪୧ ଡିଗ୍ରୀ ସେଲସିୟସ୍‌  ପାର୍‌ କରିଥିବା ବେଳେ ୮ଟି ସହର ୪୦  ଡିଗ୍ରୀ ଡେଇଁଛି । ପାଣିପାଗ ପୂର୍ବାନୁମାନ ଯାହା- ଏବେ ତାତି ପ୍ରକୋପ ଆହୁରି  ବଢ଼ିବ । ଆସନ୍ତା ୩ ଦିନ ଆଭ୍ୟନ୍ତରୀଣ  ଓ ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷିବ । ତାପମାତ୍ରା ଶୁକ୍ରବାର ୪୨ ଓ ଶନିବାର  ୪୩ ଡିଗ୍ରୀ ଟପିପାରେ । ଉପକୂଳ ବି ୪୦  ଡେଇଁବ । ପାଣିପାଗ କେନ୍ଦ୍ର ସତର୍କ  କରାଇଛି, ଆସନ୍ତା ୩ ଦିନ ରାଜ୍ୟରେ  ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ଉଭୟ  ଦିନ ଓ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ । ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟ କରି ଖାଦ୍ୟ ଯୋଗାଣ ବିଭାଗ ରାସନ ସାମଗ୍ରୀ ବଣ୍ଟନ ପାଇଁ ନୂଆ ସମୟ  ଧାର୍ଯ୍ୟ କରିଛନ୍ତି । ସକାଳ ୭ଟାରୁ ୧୦ଟା ଓ ସନ୍ଧ୍ୟା ୫ଟାରୁ ୮ଟା ପର୍ଯ୍ୟନ୍ତ  ହିତାଧିକାରୀଙ୍କୁ ରାସନ ସାମଗ୍ରୀ  ଯୋଗାଇବା ପାଇଁ ପ୍ରତି ଜିଲ୍ଲାକୁ ନିର୍ଦ୍ଦେଶ  ଦିଆଯାଇଛି । ହିତାଧିକାରୀଙ୍କ ପାଇଁ  ବଣ୍ଟନ କେନ୍ଦ୍ରରେ ଅସ୍ଥାୟୀ ଆଶ୍ରୟସ୍ଥଳ, ପିଇବା ପାଣି, ଓଆରଏସ୍‌ ମହଜୁଦ  ରଖିବାକୁ କୁହାଯାଇଛି ।  ଶୁକ୍ରବାର ସମ୍ବଲପୁର ଓ ବୌଦ୍ଧ  ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  ଝାରସୁଗୁଡ଼ା, ସମ୍ବଲପୁରରେ ପାରଦ  ୪୨ ଡିଗ୍ରୀ ଛୁଇଁପାରେ । ପଶ୍ଚିମ ଓ  ଆଭ୍ୟନ୍ତରଣ ଓଡ଼ିଶାର ଅନେକ  ସ୍ଥାନରେ ତାପମାତ୍ରା ୪୦-୪୧ ଡିଗ୍ରୀ  ପାଖାପାଖି ରହିପାରେ। ଉପକୂଳରେ  କଟକ, ଭୁବନେଶ୍ୱର, ଚାନ୍ଦବାଲିରେ  ପାରଦ ୩୯ ଡିଗ୍ରୀ ରହିପାରେ ।  ଅନେକ ସ୍ଥାନରେ ତାପମାତ୍ରା ୩୮  ଡିଗ୍ରୀ ପାଖାପାଖି ହେବ । ଶନିବାର  ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର,  ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ  ଗ୍ରୀଷ୍ମ ଲହରି ଛଟପଟ କରିପାରେ। ଝାରସୁଗୁଡ଼ା, ବଲାଙ୍ଗିରରେ ୪୩  ଡିଗ୍ରୀ ତାତିରେ ତ୍ରାହି ତ୍ରାହି ଡାକିବେ । ସୋନପୁର, ରାଉରକେଲା, ଟିଟିଲାଗଡ଼,  ବୌଦ୍ଧ, ସମ୍ବଲପୁର, ଭବାନୀପାଟଣା,  ସୁନ୍ଦରଗଡ଼ରେ ପାରଦ ୪୨ ଛୁଇଁବ ।  ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଅଞ୍ଚଳର କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଚାନ୍ଦବାଲିରେ  ୪୦ ଡିଗ୍ରୀ ପହଞ୍ଚିପାରେ । ରବିବାର (୩୦ ତାରିଖ) ପାଇଁ  ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର,  କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ  ଜନିତ ସତର୍କ ସୂଚନା ଜାରି କରାଯାଇଛି । ରବିବାର ବଲାଙ୍ଗିର,  ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ରାଉରକେଲାରେ ତାପମାତ୍ରା ୪୩ ଡିଗ୍ରୀ ଟପିବା ସମ୍ଭାବନା ରହିଛି । ଭୁବନେଶ୍ୱର, କଟକ  ବି ୪୦ ଡିଗ୍ରୀରେ କଲବଲ ହେବ ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!