ଭୂକମ୍ପ ଝଟକାରେ ଥରିଲା ମିଆଁମାର

ନୂଆଦିଲ୍ଲୀ୨୮।୩: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ମିଆଁମାର । ଲଗାତାର ଦୁଇଟି ଭୂମିକମ୍ପରେ ଥରିଉଠିଲା ମିଆଁମାର । ରିକ୍ଟର ସ୍କେଲ୍‌ରେ ତୀବ୍ରତା ୭.୨ ଓ ୭.୦ ରେକର୍ଡ ।ଭୂମିକମ୍ପରେ ଶୁକ୍ରବାର ଦୋହଲିଛି ମିଆଁମାର ଓ ଥାଇଲ୍ୟାଣ୍ଡ। ଉଭୟ ଦେଶରେ ଭୂମିକମ୍ପ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖାସ କରି ମିଆଁମାର ଏଥିରେ ଗୁରୁତର ପ୍ରଭାବିତ ହୋଇଛି। ଭୂମିକମ୍ପରେ ଉଚ୍ଚ ଅଟ୍ଟାଳିକା ଝରଝର ହୋଇ ଗଳିପଡିଥିବା ବେଳେ ଘର ସବୁ ଧ୍ୱଂସସ୍ତୁପରେ ପରିଣତ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏ ପର୍ଯ୍ୟନ୍ତ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସୁଛି। ରିପୋର୍ଟ ଅନୁସାରେ ଭୂମିକମ୍ପ ଉତ୍ପତିସ୍ଥଳ ମିଆଁମାର ସଗାଇଂଗରେ ଥିଲା।କେଉଁଠି ବଡ ବଡ କୋଠାରେ ଶହଶହ ଜୀବନ ନିଖୋଜ ତ କେଉଁଠି ସୁଉଚ୍ଚ ଅଟ୍ଟାଳିକା ତଳେ ଚାପି ହୋଇ ରହି ଛଟପଟ ହେଉଛି ଜୀବନ । ଭୁଶୁଡି ପଡିଛି ମଲ୍, ଭାଙ୍ଗିଯାଇଛି ଘର, ଫାଟିଯାଇଛି ରାସ୍ତା, ଗଡି ପଡିଛି ଗଛ… ସବୁଠି ମୃତ୍ୟୁର ତାଣ୍ଡବଲୀଳା ଆଉ ସବୁଠି ଜୀବନର ଆର୍ତ୍ତ ଚିତ୍କାର, ବଞ୍ଚାଅ ବଞ୍ଚାଅର ଡାକ । କିଏ ଶୁଣିବ, କିଏ କାହାକୁ ଉଦ୍ଧାର କରିବ । ସମସ୍ତେ ତ ଏଠି ନିଜ ନିଜ ଜୀବନକୁ ନେଇ ଧାଇଁଛନ୍ତି । କେଉଁଠି ଆଗେ ଆଗେ ମୃତ୍ୟୁ ତ କେଉଁଠି ପଛେ ପଛେ ମୃତ୍ୟୁ ଧାଉଁଥିବା ଦେଖିବାକୁ ମିଳିଛି । ମିଆଁମାରରେ ବିଭିନ୍ନ ସ୍ଥାନରେ ଭୂକମ୍ପ କାରଣରୁ ବଡ ବଡ କୋଠା ଭୁଶୁଡି ପଡିଛି ଏବଂ ସେହି କୋଠା ତଳୁ ବୁଲଡୋଜର ଜରିଆରେ ନିଖୋଜ ମଣିଷଙ୍କୁ ଖୋଜା ଚାଲିଛି । ବ୍ୟାଙ୍କକକେ ଏକ ନିର୍ମାଣାଧୀନ ଅଟ୍ଟାଳିକା ଭୁଶୁଡୁଥିବାରୁ ଭିଡିଓ ଭାଇରାଲ ହେଉଛି । ଯେଉଁଠି ପ୍ରାୟ ୯୦ ଜଣ ଶ୍ରମିକ କାମ କରୁଥିବା କୁହାଯାଉଛି ।ଖାଲି କୋଠା କି ରାସ୍ତା ନୁହେଁ ମଲ୍, ହସ୍ପିଟାଲ, ରେଳ ଷ୍ଟେସନ, ବିମାନବନ୍ଦର, ସ୍କୁଲ, କଲେଜ, ବଜାରରେ ଏମିତି ଅନେକ ସ୍ଥାନରେ ଲୋକେ ଭୂକମ୍ପ ଦ୍ବାରା ପ୍ରଭାବିତ ହୋଇଛନ୍ତି ଆଉ ମୃତାହତ ବି ହୋଇଛନ୍ତି । ଯଦିଓ ସରକାରୀ ସ୍ତରରେ କୌଣସି ସୂଚନା ମିଳିନି ତେବେ ଭୂକମ୍ପରେ ମୃତକଙ୍କ ସଂଖ୍ୟା ଶତାଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଯେଉଁମାନଙ୍କର କୌଣସି ପତ୍ତା ବି ମିଳୁନି ।ଏହି ଭୂମିକମ୍ପର ଝଟକା ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟାଙ୍କକକ୍ ପର୍ଯ୍ୟନ୍ତ ଅନୁଭୂତ ହୋଇଛି। ଭୂମିକମ୍ପ ପରେ ଏଠାରେ ଏମାର୍ଜେନ୍ସୀ ଘୋଷଣା କରାଯାଇଛି। ଭାରତୀୟ ଦୂତାବାସ ପରିସ୍ଥିତି ଉପରେ ନଜର ରଖି ରହିଛନ୍ତି ଓ ଥାଇ ଅଧିକାରୀଙ୍କ ସହିତ ଲଗାତାର ସମ୍ପର୍କରେ ଅଛନ୍ତି। ଏପର୍ଯ୍ୟନ୍ତ କୌଣସି ଭାରତୀୟ ନାଗରିକ ହତାହତ ହୋଇଥିବା ନେଇ ସୂଚନା ଆସି ନାହିଁ। ଥାଇଲ୍ୟାଣ୍ଡରେ ଭାରତୀୟ ଦୂତାବାସ ଲୋକଙ୍କ ନିମନ୍ତେ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି। ଏମାର୍ଜେନ୍ସୀ ପରିସ୍ଥିତିରେ ଥାଇଲ୍ୟାଣ୍ଡରେ ରହୁଥିବା ଭାରତୀୟ ନାଗରିକ ଏହି ନମ୍ବରରେ ଯୋଗାଯୋଗ କରିପାରନ୍ତି। ଏହି ନମ୍ବର ହେଉଛି +୬୬ ୬୧୮୮୧୯୨୧୮।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!