ଭୁବନେଶ୍ୱର,୨୮ା୩: ଆସନ୍ତା ୨୯ ତାରିଖରେ ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ ସଂଗଠିତ ହେବ। ଉତ୍ତର ଆମେରିକା, ଗ୍ରୀନ୍ଲ୍ୟାଣ୍ଡ, ଆଇସ୍ଲ୍ୟାଣ୍ଡ, ଉତ୍ତର ଆଟ୍ଲାଣ୍ଟିକ ମହାସାଗର, ୟୁରୋପ ଏବଂ ଉତ୍ତର-ପଶ୍ଚିମ ରୁଷରେ ଏହା ଦୃଶ୍ୟମାନ ହେବ। ତେବେ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଭାରତ କିମ୍ବା ଓଡିଶାରେ ଦୃଶ୍ୟମାନ ହେବ ନାହିଁ। ଏହା ଭାରତୀୟ ସମୟ ଦିନ ୨ଟା ୨୦ରୁ ଆରମ୍ଭ ହୋଇ ୪ଟା ୧୭ ମିନିଟରେ ସର୍ବାଧିକ ପରାଗ ୯୦% ହେବ। ସେହିପରି ଅପରାହ୍ନ ୪ ଟା ୧୪ ମିନିଟରେ ପରାଗ ଶେଷ ହେବ ବୋଲି ଜ୍ୟୋତିର୍ବିଜ୍ଞାନୀ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।ପରାଗ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତି ଅନୁସାରେ ଆଂଶିକ, ପୂର୍ଣ୍ଣ ଏବଂ ବଳୟ ସୂର୍ଯ୍ୟୋପରାଗ ଘଟିଥାଏ। ପ୍ରତ୍ୟେକ ପୂର୍ଣ୍ଣ ସୂର୍ଯ୍ୟୋପରାଗ ପୂର୍ବରୁ ଓ ପରେ ଆଂଶିକ ପରାଗ ଦେଖାଯାଏ। ବେଳେବେଳେ ପୂର୍ଣ୍ଣ ଓ ବଳୟ ପରାଗ ମିଶ ଦେଖାଯାଏ।ସୂର୍ଯ୍ୟ ଚାରିପଟେ ପୃଥିବୀ ଓ ପୃଥିବୀ ଚାରିପଟେ ଚନ୍ଦ୍ର ଏକ ନିର୍ଦ୍ଦିଷ୍ଟ କକ୍ଷ ପଥରେ ବୁଲୁଛନ୍ତି। ବେଳେବେଳେ ଏକ ସରଳ ରେଖାରେ ରହିଲେ ହିଁ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ଘଟିଥାଏ। ସୂର୍ଯ୍ୟୋପରାଗ ସମୟରେ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ରହିଥାଏ ଓ ଚନ୍ଦ୍ରର ଛାଇ ପଡୁଥିବା ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ। ସୂର୍ଯ୍ୟୋପରାଗ କେବଳ ଅମାବାସ୍ୟା ଦିନ ହିଁ ଘଟିବା ସମ୍ଭବ ହୋଇଥାଏ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |