ପୁରୀ ,୫।୪:ଆସନ୍ତାକାଲିଠୁ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହେବ ପ୍ରସିଦ୍ଧ ସାହିଯାତ|ରାମନବମୀ ତିଥି ଅବସରରେ କାଳିକାଦେବୀ ସାହି ପକ୍ଷରୁ ରାମଜନ୍ମ ନୀତି ସମ୍ପନ୍ନ କରାଯିବ। ତେଣୁ ରବିବାରଠାରୁ ସାହିଯାତ ଆରମ୍ଭ ହେବ। ସେହିଭଳି ୭ ତାରିଖରେ ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞ ରକ୍ଷା ନୀତି ଓ ମାଟି ମଣ୍ଡପ ସାହି ପକ୍ଷରୁ ନିଶାଣ ଶୋଭାଯାତ୍ରା ହେବ। ୮ ତାରିଖରେ ହରଚଣ୍ଡୀ ସାହି ପକ୍ଷରୁ ପର୍ଶୁରାମ କଳା ହରଣ ନୀତି କରାଯିବ। ୯ ତାରିଖରେ ମାର୍କେଣ୍ଡଶ୍ୱର ସାହି ପକ୍ଷରୁ ବନବାସ ନୀତି, ୧୧ରେ କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ସୀତାଚୋରୀ ନୀତି, ୧୨ରେ ଦୋଳମଣ୍ଡପ ସାହି ପକ୍ଷରୁ ଲଙ୍କାପୋଡ଼ି ନୀତି, ୧୩ରେ ବାଲିସାହି ପକ୍ଷରୁ ସେତୁବନ୍ଧ ପ୍ରସ୍ତାବ ନୀତି, ୧୪ରେ ବାଲିସାହି ପକ୍ଷରୁ ରାବଣ ବଧ ପ୍ରସ୍ତାବ ନୀତି ସମ୍ପନ୍ନ କରାଯିବ। ସେହିପରି ୨୨ ତାରିଖରେ ଗୌଡ଼ବାଡ଼ ସାହି ପକ୍ଷରୁ ରାମାଭିଷେକ ନୀତି ସହ ସାହିଯାତ ଶେଷ ହେବ। ଶ୍ରୀଜଗନ୍ନାଥଙ୍କ ରାମାବତାର ଲୀଳାର ଅଂଶ ହେଉଛି ସାହିଯାତ। ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ପରିଚିତ ସାହିଯାତ। ଏହି ଯାତ ସମୟରେ ପୁରୀ ସହରର ଆଠସାହିରୁ ବାହାରୁଥିବା ପଟୁଆର ଓ ଯାତ ଆଦି ବାଦି ସାହିଗୁଡ଼ିକରେ ସେମାନଙ୍କର କଳା କୌଶଳ ପ୍ରଦର୍ଶନ କରିଥାନ୍ତି। ସାହିଯାତରେ ସମରକଳା, ଲୋକକଳ, ଲୋକନୃତ୍ୟ, ଲୋକଗୀତ ଓ ଲୋକବାଦ୍ୟ ପରମ୍ପରାର ସମ୍ମିଳିତ ରୂପ ଦେଖିବାକୁ ମିଳିଥାଏ। ଆସନ୍ତାକାଲି ଅର୍ଥାତ ରବିବାରଠାରୁ ଆରମ୍ଭ ହେବ ସାହିଯାତ। ଏହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ କାଳିକାଦେବୀ ସାହିରୁ ଯାତ ବାହାରି ଶ୍ରୀମନ୍ଦିରରେ ନୀତି ସମ୍ପନ୍ନ କରିବ। ଏହାପରେ ବାଦିସାହିକୁ ଯାଇ କଳା କୌଶଳ ପ୍ରଦର୍ଶନ କରିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |