ପୁରୀ ,୦୬।୦୪ :ଆଜି ପବିତ୍ର ଶ୍ରୀରାମନବମୀ। ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ରାମନବମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ। ସ୍ୱତନ୍ତ୍ର ନୀତି ପାଳନ ହେବା ପାଇଁ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।ମଧ୍ୟାହ୍ନ ଧୂପ ପରେ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।ରବିବାର ପବିତ୍ର ଶ୍ରୀରାମ ନବମୀ। ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ରାମଜନ୍ମ ନୀତି। ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଏହି ଜନ୍ମ ନୀତି ପାଳନ ହେବ। ରାମଜନ୍ମ ଠାରୁ ଆରମ୍ଭ କରି ଯଜ୍ଞ ରକ୍ଷା, ସୀତା ବିବାହ ଓ ରାବଣ ବଦ୍ଧ ପର୍ଯ୍ୟନ୍ତ ସମସ୍ତ ରାମଲୀଳା ନୀତି ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ ପାଳନ ହେବ। ସେହିପରି ଆଜିଠାରୁ ବିଭିନ୍ନ ସାହିରେ ସାହିଯାତ କରାଯାଇ ଏହି ରାମଲୀଳା ପର୍ବକୁ ପାଳନ କରିବାର ପରମ୍ପରା ରହିଛି। ସେପଟେ ପୁରୀ ରେଳଷ୍ଟେସନ ନିକଟ ଶ୍ରୀରାମ ମନ୍ଦିରରେ ମଧ୍ୟ ସକାଳୁ ସକାଳୁ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଛି। ପ୍ରଭୁ ଶ୍ରୀରାମଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରଖୁଥିବା ଭକ୍ତ ଶ୍ରଦ୍ଧାଳୁ ମାନେ ସକାଳୁ ମନ୍ଦିର ଆସି ଦର୍ଶନ କରୁଛନ୍ତି। ଭକ୍ତ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀରାମ ମନ୍ଦିର କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏପଟେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରାମନବମୀ ଅବସରରେ କଟକ କରତକଳରେ କାଠ ଚିରଟ କାର୍ଯ୍ୟର ଅନୁକୂଳ ହେବ। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମାଳ ମାହାର୍ଦ୍ଦ ନେଇ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଏକ ପ୍ରତିନିଧି ଦଳ କଟକ ଖପୁରିଆ ଅଭିମୁଖେ ଯାତ୍ରା କରିବେ। ଏହାସହ ଶନିବାର ସନ୍ଧ୍ୟାରେ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ । ୧୮ଖଣ୍ଡ ଫାଶୀ କାଠ ଏବଂ ଏକ ଖଣ୍ଡ ଶୀମିଳୀ କାଠ ଦୁଇଟି ଟ୍ରକରେ ନୟାଗଡ଼ ଓ ଢେଙ୍କାନାଳରୁ ଆସି ପହଞ୍ଚିଲା। ଏଥିସହିତ ପୁରୀରେ ସମୁଦାୟ ୨୬୧ଖଣ୍ଡ ରଥ କାଠ ପହଞ୍ଚିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |