ନୂଆଦିଲ୍ଲୀ,୨୭ା୪:ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ କଶ୍ମୀରରେ ଥିବା ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକମାନଙ୍କୁ ଧରିବା ପାଇଁ ବ୍ୟାପକ ଚଢ଼ାଉ ଜାରି ରହିଛି। କେତେଜଣ ଆତଙ୍କବାଦୀଙ୍କ ଘର ଭଙ୍ଗାଯିବା ସହ ସେମାନଙ୍କ ସୁରକ୍ଷିତ ଆଡ୍ଡା ଉପରେ ଚଢ଼ାଉ କରାଯାଇ ଶତାଧିକ ସହାୟକଙ୍କୁ ଅଟକ ରଖାଯାଇଛି।ଗତ ମଙ୍ଗଳବାର ଆତଙ୍କବାଦୀମାନେ ପହଲଗାମ୍ର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ବୈସରନରେ ଆକ୍ରମଣ କରି ୨୬ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ସୁରକ୍ଷା ବଳ ସମଗ୍ର ଉପତ୍ୟକାରେ ଥିବା ଜଣାଶୁଣା ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କ ସହଯୋଗୀଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି। ଗତ ୪୮ ଘଣ୍ଟା ମଧ୍ୟରେ ୫ ଜଣ ଆତଙ୍କବାଦୀଙ୍କ ଘର ଭଙ୍ଗାଗଲାଣି।ପ୍ରଶାସନ ସହାୟତାରେ ବାନ୍ଦିପୋରା, ପୁଲଓ୍ବାମା ଏବଂ ସୋପିଆନ ଅଞ୍ଚଳରେ ଥିବା ଏହି ୩ ଆତଙ୍କବାଦୀଙ୍କ ଘରକୁ ମାଟିରେ ମିଶାଯାଇଛି। ପହଲଗାଓଁ ଆକ୍ରମଣ ପରେ ପ୍ରଶାସନ ଏବଂ ସେନାର କାର୍ଯ୍ୟାନୁଷ୍ଠାନ ସ୍ଵରୂପ ମୋଟ ୯ ଜଣ ଆତଙ୍କବାଦୀଙ୍କ ଘରକୁ ଭାଙ୍ଗି ଦିଆଯାଇଛି। ଜମ୍ମୁ କାଶ୍ମୀର ପ୍ରଶାସନ ଶନିବାର କାଶ୍ମୀରରେ ଜଣେ ଏଲ୍ଇଟି କମାଣ୍ଡର ସମେତ ୫ ଜଣ ଆତଙ୍କବାଦୀଙ୍କ ଘର ମାଟିରେ ମିଶାଇ ଦେଇଛି। ସୋପିଆନ୍ର ଛୋଟିପୁରା ଗ୍ରାମରେ ଏଲ୍ଇଟି କମାଣ୍ଡର ସାହିଦ ଅହମଦ କୁଟ୍ଟେର ଘରକୁ ସୁରକ୍ଷାକର୍ମୀ ଧ୍ବସ୍ତ କରିଛନ୍ତି। କୁଟ୍ଟେ ଗତ ୪ ବର୍ଷ ଧରି ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା ଏବଂ ଦେଶ ବିରୋଧୀ ଅପରେସନ୍ ଚଳାଇବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରୁଥିଲା। ସେହିଭଳି କୁଲଗାମ୍ର ମତାଲମ୍ରେ ଅନ୍ୟ ଜଣେ ସକ୍ରିୟ ଆତଙ୍କବାଦୀ ଜାହିଦ ଅହମଦର ଘର ମଧ୍ୟ ମାଟିରେ ମିଶାଇ ଦିଆଯାଇଛି। ଉଭୟ ବିସ୍ଫୋରକ ଓ ବୁଡ୍ଡୋଜର ବ୍ୟବହାର ଦ୍ବାରା କାର୍ଯ୍ୟାନୁଷ୍ଠାନ ହେଉଥିବା ଜଣାପଡ଼ିଛି। ସୁରକ୍ଷାକର୍ମୀମାନେ ଶୁକ୍ରବାର ରାତିରେ କୁଲଗାମ, ସୋପିଆନ୍ ଏବଂ ପୁଲୱାମାରେ ୩ ଜଣ ଆତଙ୍କବାଦୀଙ୍କ ଘର ଧ୍ବସ୍ତ କରିଥିବା ବେଳେ ଗୁରୁବାର ରାତିରେ ସୁରକ୍ଷାକର୍ମୀମାନେ ୨ ଜଣ ଏଲ୍ଇଟି ଆତଙ୍କବାଦୀଙ୍କ ଘର ଉଡ଼ାଇ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |