ନୂଆଦିଲ୍ଲୀ,,୩୦।୫: ଆଜି ଶପଥ ନେବେ ସୁପ୍ରିମକୋର୍ଟର ୩ ଜଣ ନୂଆ ବିଚାରପତି । ଜଷ୍ଟିସ୍ ଏନ.ଭି. ଅଞ୍ଜାରିଆ, ଜଷ୍ଟିସ ବିଜୟ ବିଷ୍ଣୋଇ ଏବଂ ଜଷ୍ଟିସ୍ ଅତୁଲ ଏସ୍. ଚନ୍ଦୁରକର । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର. ଗଭାଇ ଆଜି ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ସର୍ବୋଚ୍ଚ ନ୍ୟାୟାଳୟରେ ୩ ନୂଆ ବିଚାରପତିଙ୍କ ନିଯୁକ୍ତିକୁ ଗତକାଲି ମଞ୍ଜୁର କରିଥିଲେ କେନ୍ଦ୍ର ସରକାର । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ ଏନେଇ ‘ଏକ୍ସ’ରେ ପୋଷ୍ଟ କରିଥିଲେ । ଏହାଦ୍ବାରା ସୁପ୍ରିମକୋର୍ଟରେ ନିର୍ଦ୍ଧାରିତ ପୂର୍ଣ୍ଣ ସଦସ୍ୟଙ୍କ ସଂଖ୍ଯା ୩୪ ଜଣରେ ପହଞ୍ଚିଛି ।ଜଷ୍ଟିସ ଅଞ୍ଜାରିଆ ୧୯୮୮ ମସିହାରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ୨୦୧୧ ମସିହା ନଭେମ୍ବର ୧୧ ତାରିଖରେ ଗୁଜରାଟ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ୨୦୧୩ ସେପ୍ଟେମ୍ବରରେ ଗୁଜରାଟ ହାଇକୋର୍ଟର ପୂର୍ଣ୍ଣକାଳୀନ ବିଚାରପତି ଭାବରେ ଦାୟିତ୍ୱ ନେଇଥିଲେ । ୨୦୨୪ ମସିହା ଫେବ୍ରୁଆରୀ ୨୫ରେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଇଥିଲେ । ଜଷ୍ଟିସ ବିଷ୍ଣୋଇ ୧୯୮୯ ମସିହାରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ସେ ୨୦୧୩ ମସିହାରେ ରାଜସ୍ଥାନ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ନେଇଥିଲେ । ଏହାପରେ ୨୦୧୫ରେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ନେଇଥିଲେ । ଜଷ୍ଟିସ ଏ.ଏସ୍. ଚନ୍ଦୁରକର ମଧ୍ୟ ୧୯୮୮ ମସିହାରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ସେ ୨୦୧୩ ମସିହାରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ଦାୟିତ୍ୱ ନେଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |