ଆଜିଠୁ ଆଡ଼ପ ଅବଢା ପାଇବେ ଶ୍ରଦ୍ଧାଳୁ

ପୁରୀ, ,୩୦।୬:ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ସକାଳୁ ସକାଳୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଆଡ଼ପ ଦର୍ଶନ । ଆଡପ ବିଜେ ପରେ ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ବାହାରିବ ଆଡ଼ପ ଅବଢା । ତିନି ଦିନ ପରେ ଶ୍ରୀଜିଉଙ୍କୁ ଲାଗିହେବ ଅବଢ଼ା ମହାପ୍ରସାଦ । ଅନ୍ୟପଟେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ।ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ ଦୁଇଟି ଧାଡ଼ିରେ ବ୍ୟାରିକେଡରେ ଯାଇ ଆଡ଼ପ ଦର୍ଶନ କରି କୃତାର୍ଥ ହେଉଛନ୍ତି ।  ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗ ମଣ୍ଡପ ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । କଳା, ଧଳା, ନାଲି, ହଳଦିଆ, ହରିତାଳ ପ୍ରିୟଙ୍ଗୁ, କସ୍ତୁରୀରେ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ରାତି ପ୍ରାୟ ୯ଟାରୁ ବିଳମ୍ବିତ ରାତି୨ ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଭିଡକୁ ଦୃଷ୍ଟିରେ ରଖି ଲୋକଙ୍କୁ ଦର୍ଶନ ପାଇଁ ଆସିବାକୁ ଅନୁରୋଧ କରିଛନ୍ତି ଦତ୍ତ ମହାପାତ୍ର ସେବକ । ଗତକାଲି ରାତି ୧୦ରେ ପହଣ୍ଡି ଶେଷ ହେବାପରେ ରାତି ଗୋଟାଏ ୪୦ ସୁଦ୍ଧା ରୁନ୍ଧା କାର୍ଯ୍ୟ ଶେଷ ହୋଇଥିଲା । ୨ଟା ସୁଦ୍ଧା ଦଇତାପତି ସର୍ବାଙ୍ଗ, ୨ଟା୧୫ରେ ଶ୍ରୀମୁଖ ଖଣ୍ଡୁଆ ହୋଇ ୨ ଟା୧୫ରୁ ୩ ଟା୫୫ ମଧ୍ୟରେ କୋଠ ସୂଆଁସିଆ ମାନେ ଚାରମାଳ ଫିଟାଇ ବାହାରି ଥିଲେ । ସକାଳ ୫ ଟା ୧୦ ସୁଦ୍ଧା ମହାସ୍ନାନ, ୫ଟା ୨୦ରେ ମଇଲମ ହୋଇ ୬ଟା ସୁଦ୍ଧା ମହାପ୍ରଭୁଙ୍କ ବେଶ ଶେଷ ହୋଇଥିଲା ।ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢା ।ସୁରୁଖୁରୁରେ ଶ୍ରଦ୍ଧାଳୁଙ୍କୁ ଆଡ଼ପ ଅବଢା ବଣ୍ଟନ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ସେପଟେ ଆଜି ବନକଲାଗି ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ । ରାତି ୯ରୁ ରାତି ୨ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!