ରାଜ୍ୟରେ ୨୮ ଯାଏଁ ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ

ଭୁବନେଶ୍ୱର ,୨୫।୬: ରାଜ୍ୟରେ ବୁଧବାରଠାରୁ ବର୍ଷା ପରିମାଣ ବଢ଼ିବ। ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ବଜ୍ରପାତ ଓ ଝଟକା ପବନ ବୋହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଆସନ୍ତା ୨ଦିନ କେତେକ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଆଉ କେତେକ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ବୁଧବାର ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ଅଧିକ ବର୍ଷା ସମ୍ଭାବନା ଅଛି । କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ହୋଇପାରେ । ୨୮ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ବୁଧବାର ଲଘୁଚାପ ସୃଷ୍ଟି ହୋଇପାରେ । ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ଅଧିକ ବର୍ଷା ହେବ। ଓଡ଼ିଶାର କିଛି ସ୍ଥାନରେ ବି ଭାରି ବର୍ଷା ସମ୍ଭାବନା ଅଛି । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ପୂର୍ବାନୁମାନ କରିଛନ୍ତି । ପାଣିପାଗ ବିଭାଗର ଆକଳନ କହୁଛି, ଗୁରୁବାର କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ବର୍ଷା ସମ୍ଭାବନା ଅଛି । ସେହିପରି ୨୭ ଓ ୨୮ ତାରିଖରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମଙ୍ଗଳବାର ସକାଳରୁ ସନ୍ଧ୍ୟା ଭିତରେ ଚାନ୍ଦବାଲିରେ ୪୨.୬ ମିମି ବର୍ଷା ହୋଇଛି । କୋରାପୁଟରେ ୨୪.୪, ଭବାନୀପାଟଣାରେ ୨୦.୪, ରାୟଗଡ଼ାରେ ୪.୬ ଓ ଦାରିଙ୍ଗବାଡ଼ିରେ ୪ମିମି ବର୍ଷା ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!