ଭୁବନେଶ୍ୱର ,୩୦।୬ : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ | ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିବାବେଳେ ସେ ଏବେ ମୃତ୍ତିକା ସଂରକ୍ଷଣ ଏବଂ ଜଳ ବିଭାଜିକା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଅଛନ୍ତି |ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ର ଛାନ୍ଭିନ୍ ଚାଲିଥିବାବେଳେ ଭୁବନେଶ୍ବର, କଳାହାଣ୍ଡି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଛି | ମିଳିଥିବା ସୂଚନା ମୁତାବକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଦୟାନିଧିଙ୍କ ଭୁବନେଶ୍ୱରରେ ଥିବା ଘର, ନବରଙ୍ଗପୁରରେ ଥିବା ଘର ଓ ଅଫିସରେ ଚଢ଼ାଉ କରାଯାଇଛି |ଚଢାଉ ଚାଲିଥିବା ସ୍ଥାନଗୁଡିକ ମଧ୍ୟରେ ରହିଛି କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ କୁପାଗାଁ ଗ୍ରାମରେ ଶ୍ରୀ ବାଗଙ୍କ ବାସଭବନ, ଧର୍ମଗଡ଼ ଥାନା ଅଧୀନ ବିକ୍ରମଗୁଡ଼ାରେ ତାଙ୍କ ଶ୍ୱଶୁର ଘର, ଭୁବନେଶ୍ୱର ଗୋଠପାଟଣାସ୍ଥିତ ମହାନଦୀ ଆପାର୍ଟମେଣ୍ଟରେ ବାଗଙ୍କ ଫ୍ଲାଟ (ଫ୍ଲାଟ ନଂ. ୧-ଡି)। ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ତାଙ୍କ ଏଲଆଇଜି ଘର (ନଂ. ଏଲଆଇଜି ୧୦/୬), ଭୁବନେଶ୍ୱରସ୍ଥିତ ମୃତ୍ତିକା ସଂରକ୍ଷଣ ଓ ଜଳସମ୍ପଦ ବିକାଶ ନିର୍ଦ୍ଦେଶାଳୟରେ ବାଗଙ୍କ ଅଫିସ ଚାମ୍ବର। ନବରଙ୍ଗପୁର ଜିଲା, ମାଝିଗୁଡ଼ା ଛକ ନିକଟ ପଡ଼ାଲଗୁଡ଼ାସ୍ଥିତ ଏକ ନିର୍ମାଣାଧୀନ ବିଲଡିଂ। ନବରଙ୍ଗପୁର ଜିଲା, ଚୁଟିଆଗୁଡ଼ା ମୌଜା ନିକଟ ଚୁଟିଆଗୁଡ଼ା ଛକରେ ଶ୍ରୀ ବାଗଙ୍କ ପତ୍ନୀଙ୍କ ନାମରେ ଥିବା ଏକ ବିଲଡିଂ। ନବରଙ୍ଗପୁର ଜିଲା ଚୁଟିଆଗୁଡ଼ା ମୌଜା ନିକଟ ଚୁଟିଆଗୁଡ଼ା ଛକରେ ବାଗଙ୍କ ପତ୍ନୀଙ୍କ ନାମରେ ଥିବା ଅନ୍ୟ ଏକ ବିଲଡିଂ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |