ଇମ୍ଫାଲ ,୩୦।୬: ମଣିପୁର ଚୁରାଚାନ୍ଦପୁର ଜିଲ୍ଲାରେ ସୋମବାର ଅଜ୍ଞାତ ବନ୍ଧୁକଧାରୀ ୪ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। କୁହାଯାଉଛି ମୃତକଙ୍କ ମଧ୍ୟରେ ଜଣେ ୬୦ ବର୍ଷ ବୟଷ୍କା ମହିଳା ମଧ୍ୟ ଅଛନ୍ତି। ପୋଲିସ ଅନୁସାରେ ଏହି ଗୁଳିକାଣ୍ଡ ଚୁରାଚାନ୍ଦପୁରର ମୋଙ୍ଗଜାଙ୍ଗ ଗାଁ ନିକଟରେ ହୋଇଛି। ଅପରାହ୍ନ ପ୍ରାୟ ୨ଟା ବେଳେ ଘଟିଥିବା ଏହି ଘଟଣାର ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏକ ଗାଡ଼ି ଉପରକୁ ଅଜଣା ବନ୍ଧୁକଧାରୀ ଗୁଳିମାଡ଼ କରିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ମଣିପୁରର ଚୁରାଚାନ୍ଦପୁର ଜିଲା ଅନ୍ତର୍ଗତ ମୋଙ୍ଗଜଙ୍ଗ ଗ୍ରାମ ନିକଟରେ ସୋମବାର ଅପରାହ୍ନ ପ୍ରାୟ ୨ଟାରେ ଏହି ଘଟଣା ଘଟିଛି।ମୃତକମାନେ ଏକ କାରରେ ଯାଉଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଛି। ପୂର୍ବରୁ ଛକି ରହିଥିବା ବନ୍ଧୁକଧାରୀ ସେମାନଙ୍କ ଉପରକୁ ଆତର୍କିତ ଗୁଳି ଚାଳନା କରିଥିଲେ। ଫଳରେ ଘଟଣାସ୍ଥଳରେ ୪ ଜଣ କାର ଯାତ୍ରୀ ପ୍ରାଣ ହରାଇଛନ୍ତି। ପୋଲିସ ଅଧିକାରୀଙ୍କ ଅନୁସାରେ ଏହି ଘଟଣା ଚୁରାଚାନ୍ଦପୁର ସହରରୁ ପାଖାପାଖି ୭ କିଲୋମିଟର ଦୂରରେ ହୋଇଛି। ତେବେ ପ୍ରାଣ ହରାଇଥିବା ଲୋକଙ୍କ ଚିହ୍ନଟ ହୋଇ ପାରି ନାହିଁ। ପ୍ରାଣ ହରାଇଥିବା ଲୋକେ କେଉଁଠୁ ଆସୁଥିଲେ, କେଉଁ ଆଡକୁ ଯାଉଥିଲେ ଓ ସେମାନେ ସବୁ କିଏ ତାହା ଜାଣିବା ପାଇଁ ପୋଲିସ ଏବେ ଉଦ୍ୟମ କରୁଛି। ଏହି ହତ୍ୟାକାଣ୍ଡ ଲାଗି କୌଣସି ସଙ୍ଗଠନ ଏ ପର୍ଯନ୍ତ ନିଜକୁ ଦାୟି କରି ନାହାନ୍ତି। ଏହି ଘଟଣା ପରେ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ଓ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଘଟଣା ସ୍ଥଳକୁ ପୋଲିସ ଓ ଅତିରିକ୍ତ ସୁରକ୍ଷା ବଳଙ୍କୁ ପଠା ଯାଇଛି। ଘଟଣା ସ୍ଥଳରୁ ୧୨ରୁ ଅଧିକ ଖାଲି କାଟ୍ରିଜ ମିଳିଛି। ଅଞ୍ଚଳରେ ସୁରକ୍ଷା ବଳ ତଲାସ ଅଭିଯାନ ଚଳାଇଛନ୍ତି। ଗତ କିଛି ସମୟ ହେଲା ମଣିପୁରରେ ଜାତୀୟ ଓ ସାମ୍ପ୍ରଦାୟିକ ଉତ୍ତେଜନା ଲାଗି ରହିଛି। ଏଥିରେ ଏହି ଗୁଳି କାଣ୍ଡ ରାଜ୍ୟର ପରିସ୍ଥିତିକୁ ଅଧିକ ଜଟିଳ କରିପାରେ ବୋଲି ଆଶଙ୍କା କରାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |