ଆଜି ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି

ପୁରୀ,୧।୭ : ଚତୁର୍ଦ୍ଧାବିଗ୍ରହ ନବଦିନାତ୍ମକ ଯାତ୍ରାରେ ଆସି ଏବେ ଆଡ଼ପ ମଣ୍ଡପରେ ବିରାଜମାନ କରିଛନ୍ତି। ରଥଯାତ୍ରାର ଏକ ଅନନ୍ୟ ନୀତି ହେଉଛି ହେରାପଞ୍ଚମୀ।ହେରାପଞ୍ଚମୀ ନୀତି ରଥଯାତ୍ରାର ପଞ୍ଚମ ଦିନ, ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀରେ ପାଳିତ ହୁଏ। ଶ୍ରୀମନ୍ଦିର ଭଣ୍ଡାର ଘରେ ବିଜେ ହୋଇଥିବା ମାଆ ଲକ୍ଷ୍ମୀଙ୍କୁ ପାଳିଆ ମହାଜନମାନେ ମାଜଣା କରନ୍ତି। ତା’ ପରେ ବନକଲାଗି, ପାଟ ଓ ଅଳଙ୍କାର ଲାଗି ହୁଏ। ପାଳିଆ ମେକାପ, ପ୍ରତିହାରୀ ଓ ମୁଦୁଲି ଦେଇଥିବା ପନ୍ତିଭୋଗ ପୂଜାପଣ୍ଡା କରନ୍ତି। ଏହାପରେ ମହାଜନମାନେ ଲକ୍ଷ୍ମୀଙ୍କୁ ନେଇ ବଟବୃକ୍ଷ ତଳେ ଥିବା ବିମାନରେ ବିଜେ କରାନ୍ତି। ବିମାନବଡୁମାନେ ବିମାନ କାନ୍ଧେଇ, ଘଣ୍ଟ, କାହାଳୀ ବାଜା, ଛତାର ଛତ୍ର ସହ ସିଂହଦ୍ଵାର ଦେଇ ବଡ଼ଦାଣ୍ଡରେ ଗୁଣ୍ଡିଚା ଘର ସାମନାରେ ଶ୍ରୀଜଗନ୍ନାଥଙ୍କ ରଥ ପାଖରେ ଠିଆ ହୁଅନ୍ତି। ଏଠାରେ ପତି ମହାପାତ୍ର ପ୍ରସାଦ ଲାଗି ବନ୍ଦାପନା ଓ ଚାମର ଆଲଟ କରନ୍ତି। ଘଷା ବିଡ଼ିଆ ଓ ଦହିପଟି ମଣୋହି କରନ୍ତି।ଇତିମଧ୍ୟରେ ଗୁଣ୍ଡିଚା ଘରେ ତିନିବାଡ଼ରେ ସର୍ବାଙ୍ଗ ପରେ ବେଶ ହୋଇ ଓ ସଂଧ୍ୟାଧୂପ ଉଠି ପୂଜାପଣ୍ଡା ପୂଜାରେ ବସିଥାନ୍ତି। ଲକ୍ଷ୍ମୀ ରଥ ପାଖରୁ ଜଗମୋହନ ଜୟବିଜୟ ଦ୍ଵାରଠାକୁ ଆସିଥାନ୍ତି। ପତି ମହାପାତ୍ର ସିଂହାସନ ଉପରକୁ ଉଠି ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ଲକ୍ଷ୍ମୀଙ୍କୁ ଦେଲା ପରେ ପୂଜାପଣ୍ଡା ପୂଜା ବଢ଼ାଇ ଧୂପ ଦୀପ ଦେଇ ଟେରା ପକାନ୍ତି। ଲକ୍ଷ୍ମୀଙ୍କ ବିମାନକୁ ଜଗମୋହନରୁ ନାକଚଣା ଦ୍ଵାର ଦେଇ ତେନ୍ତୁଳିଗଛ ପାଖରେ ରଖାଯାଏ। ସେଠାରେ ଭିତରଚ୍ଛ ମହାପାତ୍ର ଗରାବଡୁଠାରୁ ହାତୁଆଣି ନେଇ ବନ୍ଦାପନା କରନ୍ତି ଓ ଦହିପଟି ମଣୋହି କରାନ୍ତି। ଏହାପରେ ତାଙ୍କର ବିମାନକୁ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଆଯାଏ। ସେବକଙ୍କ ଭିତରୁ ଜଣେ ରଥର କାଠ ଖଣ୍ଡିଏ ଭାଙ୍ଗି ଦେବା ପରେ ହରଗୌରୀ ସାହି ଦେଇ ବଡ଼ ଦେଉଳକୁ ବିଜେ କରନ୍ତି।ମଙ୍ଗଳବାର ରାତିରେ ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ସମ୍ପନ୍ନ ହେବ।ହେରାପଞ୍ଚମୀ ନୀତି ପାଇଁ ଶ୍ରୀମନ୍ଦିର ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହେବ। ରୁକ୍ମିଣୀ ହରଣ ଏକାଦଶୀ ଦିନ ମହାପ୍ରଭୁଙ୍କ ସହିତ ମହାଲକ୍ଷ୍ମୀ ବା ଶ୍ରୀଦେବୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରେ ମହାପ୍ରଭୁଙ୍କ ଗଇଁଠାଳ ଫିଟି ନ ଥିବାବେଳେ ମହାପ୍ରଭୁ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନକରି  ଜ୍ୱରରେ ପୀଡ଼ିତ ହୋଇଥିଲେ। ଅଣସର ଘରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ରଥଯାତ୍ରାରେ ଜନ୍ମବେଦିକୁ ଆସିଛନ୍ତି। ଫଳରେ ନବବିବାହିତା ମା’ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ବିରହ ବେଦନା ସହି ନ ପାରି ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କୁ ଫେରାଇ ଆଣିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ଦର୍ଶନ ଦେବେ, କିନ୍ତୁ ଶ୍ରୀମନ୍ଦିରକୁ ଫେରିବେ ନାହିଁ। ଅଭିମାନିନୀ ମା’ ମହାଲକ୍ଷ୍ମୀ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ।ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ପରେ ଶ୍ରୀମନ୍ଦିରରେ ମା’ଙ୍କ ବିଶେଷ ନୀତି ଅନୁଷ୍ଠିତ ହେବ। ପରେ ମହାଲକ୍ଷ୍ମୀ ବଡ଼ଦାଣ୍ଡ ଦେଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବିଜେ କରିବେ।ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବା ପୂର୍ବରୁ ନନ୍ଦିଘୋଷ ରଥ ନିକଟରେ ବନ୍ଦାପନା ନୀତି ଅନୁଷ୍ଠିତ ହେବ ଓ ପରେ ଭିତରକୁ ବିଜେ କରିବେ। ସେଠାରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଦ୍ୱାର ବନ୍ଦ କରାଯିବ। ମହାଲକ୍ଷ୍ମୀ ଅଭିମାନ କରି ନାକଚଣା ଦ୍ୱାର ଦେଇ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବା ସମୟରେ ନାକଚଣା ଦୁଆର ପାଖରେ ଭିତରଚ୍ଛ ସେବକ ମହାଲକ୍ଷ୍ମୀଙ୍କୁ  ବନ୍ଦାପନା କରିବା ସହ  ଦହିପଟି ମଣୋହି କରିବେ।  ପରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗି ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!