ଆଜି ତିନିରଥର ଦକ୍ଷିଣ ମୋଡ

ପୁରୀ,,୨ା୭:ନବଦିନାତ୍ମକ ଯାତ୍ରା ସରିସରି ଆସୁଛି। ଇତି ମଧ୍ୟରେ ୫ ଦିନ ବିତିସାରିଛି। ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ, ଅର୍ଥାତ୍‌ ଆସନ୍ତାକାଲି ଯାତ୍ରାର ଷଷ୍ଠ ଦିନରେ ରଥର ଦକ୍ଷିଣ ମୋଡ଼ ଅନୁଷ୍ଠିତ ହେବ। ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗରେ ଥିବା ରଥମାନଙ୍କୁ ନାକଚଣା ଦ୍ବାର ଶରଧାବାଲିକୁ ନିଆଯିବ।ଭାଇ-ଭଉଣୀଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଏବେ ଜନ୍ମବେଦୀରେ ଲୀଳା କରୁଛନ୍ତି। ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ଅଛନ୍ତି ତିନିରଥ। ଆସନ୍ତା ୫ ତାରିଖରେ ବାହୁଡ଼ା ଯାତ୍ରା। ଏଥିପାଇଁ ବୁଧବାର ତିନିରଥର ହେବ ଦକ୍ଷିଣ ମୋଡ଼। ଅର୍ଥାତ୍‌ ତିନିରଥକୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍‌ ଦ୍ୱାରା ମଙ୍ଗଳବାର ତିନିରଥର ଯାଞ୍ଚ କରାଯାଇଛି। ତିନିରଥର ମହାରଣା ସେବକ, ଭୋଇ ସେବକ, କମାର ସେବକଙ୍କ ଉପସ୍ଥିତିରେ ଆବଶ୍ୟକ ଛୋଟମୋଟ ମରାମତି ହୋଇଛି।ରଥଯାତ୍ରାରେ ତିନିରଥ ପ୍ରାୟ ୨.୬କିମି ବଡ଼ଦାଣ୍ଡରେ ଗଡ଼ିଥିଲା। ଶ୍ରଦ୍ଧାଳୁମାନେ ସିଂହଦ୍ୱାରରୁ ଶରଧାବାଲି ପର୍ଯ୍ୟନ୍ତ ରଥ ଟାଣିଥିଲେ। ତେଣୁ ରଥରେ କେଉଁଠି କ’ଣ ତ୍ରୁଟି ଥାଇପାରେ,‌ ସେଥିଲାଗି ମଙ୍ଗଳବାର ପୂର୍ତ୍ତ ବିଭାଗ ନେତୃତ୍ୱରେ ଯାଞ୍ଚ କରାଯାଇଥିଲା। କେତେକ ଜାଗାରେ କଣ୍ଟା ଖସିଥିବା ବେଳେ ତାହାକୁ ବାଡ଼ାଯାଇଛି। ଫାଟ ଜାଗାରେ ପହିପାତିଆ ଓ ଲୁହା କ୍ଲାମ୍ପ୍‌ ଦିଆଯାଇ ମରାମତି ହୋଇଛି। ବଡ଼ ଠାକୁରଙ୍କର ତାଳଧ୍ୱଜ ରଥର ୯ଚକରେ ୧୮ଖଣ୍ଡ ପହିପାତିଆ (ପ୍ଲେଟ୍‌) ଏବଂ ନନ୍ଦିଘୋଷ ରଥରେ ୨ଖଣ୍ଡ ପହିପାତିଆ ବାଡ଼ିଆ ଯାଇଛି। ଗୋଟିଏ ପ୍ଲେଟ୍‌ର ଚଉଡ଼ା ୬ ଇଞ୍ଚ ଏବଂ ଲମ୍ବ ୨ଫୁଟ୍‌ ରହିଥିଲା। ଏହାକୁ ଚକ ପହି ଫାଙ୍କ ଜାଗାରେ ଦୁଇପଟେ ଦିଆଯାଇ ସେଟ୍‌ କରାଯାଇଛି। ସେହିପରି ଖସିଥିବା ବଳାକୁ ଠିକ୍‌ ଭାବେ ଲଗାଯାଇଥିବା ବେଳେ ଅନ୍ୟ ଛୋଟମୋଟ ଯାହା ବି ତ୍ରୁଟି ଥିଲା, ତାହାର ସମାଧାନ କରାଯାଇଛି। ଏଥିପାଇଁ ରେଲୱେ ଜଗ୍‌ ବ୍ୟବହାର କରାଯାଇଥିଲା। ଏହାସହ ବଡ଼ଦାଣ୍ଡରେ ବାଲି ବି ପକାଯାଇଛି। ଆସନ୍ତାକାଲି ପ୍ରଥମେ ସୁଭଦ୍ରାଙ୍କ ରଥ ଏବଂ ପରେ ଅନ୍ୟ ଦୁଇରଥ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରହିବ। ଦକ୍ଷିଣ ମୋଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ବୁଧବାର ମଧ୍ୟାହ୍ନ ସାଢ଼େ ୧୨ଟାରେ ରଥ ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ଼ ହେବ ବୋଲି ସ୍ଥିର କରାଯାଇଛି। ସୂଚନାଥାଉ କି, ଦକ୍ଷିଣୀ ମୋଡ଼ ପୂର୍ବରୁ ବୈଷୟିକ ଟିମ୍‌ ଦ୍ୱାରା ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏହି ଯାଞ୍ଚ କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!