ଭୁବନେଶ୍ବର, ୧୩।୭:ବାଲେଶ୍ବର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଛାତ୍ରୀ ଶନିବାର ଦିନ ଆତ୍ମାହୁତି ଉଦ୍ୟମ ମାମଲାରେ ଜାତୀୟ ମହିଳା କମିଶନ (ଏନ୍ସିଡବ୍ଲ୍ୟୁ) ହସ୍ତକ୍ଷେପ କରିଛନ୍ତି। ଫକୀରମୋହନ କଲେଜ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ଘଟଣାରେ ଜାତୀୟ ମହିଳା କମିଶନଙ୍କ ହସ୍ତକ୍ଷେପ । ନିଜ ଆଡ଼ୁ ମାମଲା ରୁଜୁ କଲା ଜାତୀୟ ମହିଳା କମିଶନ । ଘଟଣାର ଦୃଢ଼ ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବି କଲା କମିଶନ । ପୋଲିସ ଡିଜିଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୩ ଦିନରେ ଆକ୍ସନ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।ବାଲେଶ୍ବର ଏଫ୍ଏମ୍ କଲେଜ ମାମଲାରେ ଆଜି କ୍ରାଇମ୍ବ୍ରାଞ୍ଚର ସିଏଡବ୍ଲ୍ୟୁ ଓ ସିଡବ୍ଲୁର ୨ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଟିମ୍ରେ ଡିଏସ୍ପି ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସାମିଲ ଅଛନ୍ତି। କ୍ରାଇମବ୍ରାଞ୍ଚ ଡିଜିଙ୍କ ନିର୍ଦ୍ଦେଶରେ ନିଜ ପକ୍ଷରୁ ନିରୀକ୍ଷଣ ପାଇଁ ପହଞ୍ଚି ଘଟଣା ଉପରେ ଅନୁଧ୍ୟାନ କରିବୁ ବୋଲି ଡିଏସ୍ପି କହିଛନ୍ତି। ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ନେଇ ବିଇଡି ଦ୍ବିତୀୟ ବର୍ଷର ଛାତ୍ରୀ ଜଣକ ଅଧ୍ୟକ୍ଷ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଶୀଘ୍ର ନେଇ ନଥିବାରୁ ଅଶାନ୍ତିରେ ଦିନ କାଟୁଥିଲେ। ଏହି ମାମଲାର କୌଣସି ଦୃଷ୍ଟାନ୍ତମୂଳକ ସମାଧାନ ପାଇଁ ମଧ୍ୟ ଉଦ୍ୟମ କରାଯାଇନଥିଲା। ଏହି କାରଣରୁ ଛାତ୍ରୀ ଜଣକ ମାନସିକ ଚାପରେ ଥିଲେ। ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଶନିବାର ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ।ଦେହରେ ନିଆଁ ଲାଗିବା ପରେ ଛାତ୍ରୀଜଣକ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନେ ବାଲେଶ୍ୱର ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ଛାତ୍ରୀ ୧୨ ଦିନ ହେଲା ମାନସିକ ଚାପରେ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |