ଆଜି ରେଭେନ୍ସା ସମାବର୍ତ୍ତନ ଉତ୍ସବ , ଯୋଗଦେବେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ବର, ୧୫।୭  : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ  ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ପ୍ରଥମ  ଓଡ଼ିଆ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ତାଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତିଥି ଆସନ  ଅଳଙ୍କୃତ କରିବେ । ଏଥିପାଇଁ ରେଭେନ୍ସାରେ ବିଶେଷ ପ୍ରସ୍ତୁତି  ହୋଇଛି ।ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ସୋମବାର ଅପରାହ୍ଣରେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ ପ୍ରମୁଖ ସ୍ବାଗତ କରିଥିଲେ। ବିମାନବନ୍ଦର ବାହାରେ ପାରମ୍ପରିକ ବାଦ୍ୟ, ନୃତ୍ୟ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯାଇଥିଲା। ବିମାନବନ୍ଦରରୁ ସେ ସିଧାସଳଖ ଏମ୍‌ସ ଭୁବନେଶ୍ବର ଯାଇ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ଏହାପରେ ସେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ନଥାଇ ଏମ୍‌ସରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବାଲେଶ୍ବର ଏଫ୍‌ଏମ କଲେଜ ଛାତ୍ରୀ, ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଡାକ୍ତରୀ ଟିମ୍‌ ସହ ମଧ୍ୟ ଆଲୋଚନା କରିଥିଲେ। ଏହାପରେ ସେ ରାଜଭବନ ଯାଇଥିଲେ। ସେଠାରେ ରାଜ୍ୟପାଳ ଡ. କମ୍ଭମପାଟି ଓ ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ତାଙ୍କୁ ସ୍ବାଗତ କରିଥିଲେ। ଆଜି ରାଷ୍ଟ୍ରପତି କଟକ ଗସ୍ତ କରିବେ। ଶ୍ରୀମତୀ ମୁର୍ମୁ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଅତିଥିଭାବେ ଯୋଗଦାନ କରିବା ସହିତ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ତିନୋଟି ଅଟ୍ଟାଳିକାର ପୁନର୍ବିକାଶ ଲାଗି ଶିଳାନ୍ୟାସ କରିବେ। ସେ ମଧ୍ୟ ଆଦିକବି ସାରଳା ଦାସଙ୍କ ଜନ୍ମବାର୍ଷିକୀ ସମାରୋହରେ ଯୋଗଦେବା ସହିତ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ପ୍ରଦାନ କାର୍ଯ୍ୟକ୍ରମ ରହିଛି। ଏହିସବୁ କାର୍ଯ୍ୟକ୍ରମ ପରେ ସେ ପୁଣି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!