ଭୁବନେଶ୍ୱର,୨୨।୭:ଆଗାମୀ ୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ।୨୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ନେଇ ସତର୍କ କଲା ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟା ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାକୁ ୪୦ କି.ମି ବେଗରେ ପବନ ବହିବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ୨୪ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱରରେ ଅତି ପ୍ରବଳ ବର୍ଷା । ଏନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ କାଲିଠୁ ରାଜ୍ୟରେ ବର୍ଷା ହୋଇପାରେ । ଆସନ୍ତାକାଲି ପାଇଁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ବହିପାରେ ପବନ। ୨୪ତାରିଖରୁ ବର୍ଷା ପରିମାଣ ବଢ଼ିବ ।୨୭ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପୂର୍ବରୁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଗତ ୨୦ ତାରିଖରେ ରାଜ୍ୟରେ ଆହୁରି ୫ ଦିନ ଯାଏଁ ବର୍ଷା ସମ୍ଭାବନା ଥିବା ନେଇ କୁହାଯାଇଥିଲା । ବିଶେଷ କରି ରାଜ୍ୟର ୨୧ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଉପକୂଳବର୍ତ୍ତି ୯ ଜିଲ୍ଲାକୁ ଛାଡିଦେଲେ ବାକି ସବୁ ଜିଲ୍ଲାକୁ ବର୍ଷା ୱାର୍ଣ୍ଣିଂ ଦିଆଯାଇଥିଲା । ବିଶେଷ କରି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ମୟୂରଭଂଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ୱାର୍ଣ୍ଣିଂ ଦିଆଯାଇଥିଲା । ଏଥିସହ ୩୦ରୁ ୪୦ କିମି ବେଗରେ ପବନ ବି ବହିପାରେ କୁହାଯାଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |