ପୁରୀ ୧୪।୯: ଆଜିଠାରୁ ଶାରଦୀୟ ଦୁର୍ଗାପୂଜା ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପାରମ୍ପରିକ ପ୍ରସ୍ତୁତି । ପରମ୍ପରା ଅନୁଯାୟୀ ମୂଳାଷ୍ଟମୀ ଅବସରରେ ଗଜପତିଙ୍କ ଶ୍ରୀନଅରରୁ ଷୋଳପୂଜାର ବିଧି ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠ ଗୁଡ଼ିକରେ ଏହି ଶୋଳପୂଜା ପାଇଁ ଆଚାର୍ଯ୍ୟ ବରଣ କାର୍ଯ୍ୟ କରାଯାଇଛି । ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ରାଜଗୁରୁ ରବିବାର ଶ୍ରୋତ୍ରୀୟ ବ୍ରାହ୍ମଣ, ମୁକ୍ତିମଣ୍ଡପ ବ୍ରାହ୍ମଣ ଓ ଶାସନ ବ୍ରାହ୍ମଣଙ୍କୁ ଡ଼ାକି ବରଣ କରିବା ସହ ବସ୍ତ୍ର ଦାନ କରି ବିଭିନ୍ନ ପୀଠରେ ନିଯୁକ୍ତି କରିଛନ୍ତି । ଏହି ଆଚାର୍ଯ୍ୟ ମାନେ ରବିବାର ଠାରୁ ଷୋଳପୂଜାର ବିଧି ଅନୁଯାୟୀ ପୁରୀରେ ଥିବା ଶକ୍ତିପୀଠ ଗୁଡ଼ିକରେ ଚଣ୍ଡୀପାଠ, ଦୁର୍ଗା ଆରାଧନା ପ୍ରଭୃତି କରିବେ । ତେବେ ଆଶ୍ବୀନ ମାସ କୃଷ୍ଣପକ୍ଷ ଅର୍ଥାତ ଆଜିଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପୀ ଏହି ପୂଜାର୍ଚ୍ଚନା କରାଯିବ ।ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ମା’ ବିମଳାଙ୍କ ପୀଠରେ ଷୋଡ଼ଶ ପୂଜାବିଧି ଆରମ୍ଭ ହୋଇଛି ଏହି ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ମା’ ଭୁବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଦକ୍ଷିଣ କାଳୀ, ଅଲାମଚଣ୍ତୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ଶୋଳପୂଜା ଆରମ୍ଭ କରାଯାଇଛି । ମା‘ଙ୍କର ଏହି ପାର୍ବଣ ପୂଜାକୁ ନିଷ୍ଠାର ସହ ପାଳନ କରିବାକୁ ନିବେଦନ କରାଯାଇଛି । ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ଭଣ୍ଡାର ଘରୁ ମା’ ଦୁର୍ଗାଙ୍କ ସ୍ବର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ ହୋଇଥାଏ । ପରେ ମା’ ସୁଭଦ୍ରାଙ୍କ ଆଜ୍ଞାମାଳ ଦୁର୍ଗାଙ୍କୁ ଲାଗି କରାଯିବା ପରେ ମାଜଣା ମଣ୍ଡପରେ ଠାକୁରାଣୀଙ୍କ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହୋଇଥାଏ ।ଶାରଦୀୟ ପୂଜାପାଇଁ ଶ୍ରୀକ୍ଷେତ୍ରରେ ଏବେ ଠାରୁ ପୂଜାବିଧି ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିରରେ ବିଶେଷ କରି ଏହି ସମୟରେ ଦୁର୍ଗା ମାଧବ ଉପାସନା ସହ ଗୁପ୍ତ ଗୁଣ୍ତିଚାର ବିଧି ମଧ୍ୟ ଆରମ୍ଭ କରାଯିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |