ପୀତବାସ ହତ୍ୟା ମାମଲା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ

ବ୍ରହ୍ମପୁର,୨୩।୧୦: ପୀତବାସ ହତ୍ୟାକାଣ୍ଡ ମାମଲାରେ ପୋଲିସ ବିଳମ୍ବିତ ରାତିରେ ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଅଟକ ରଖିବା ବେଳେ ଆଜି ଗିରଫ କରିଛି । ଘଟଣାକୁ ନେଇ ବ୍ରହ୍ମପୁରରେ ଉତ୍ତେଜନା ଦେଖାଦେଇଛି।ବିକ୍ରମ ପଣ୍ଡାଙ୍କୁ ଅଟକ ରଖାଯିବା ପ୍ରତିବାଦରେ ବିଜେଡି କର୍ମୀମାନେ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଉଦ୍ୟମ କରିଥିଲେ।ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ଘଟଣା ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର। ୧୫ଦିନର ଖୋଳତାଡ଼ ପରେ ପୋଲିସ ବୁଧବାର ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ପୂର୍ବତନ ମେୟର ଶିବ ଶଙ୍କର ଦାଶ(ପିଣ୍ଟୁ)ଙ୍କ ସମେତ ୧୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରାଜନୈତିକ, ବ୍ୟବସାୟିକ ଓ ବ୍ୟକ୍ତିଗତ ଶତ୍ରୁତାରୁ ପୀତବାସଙ୍କୁ ହତ୍ୟା କରାଯାଇଛି ବୋଲି ବ୍ରହ୍ମପୁର ଏସ୍‌ପି ଡା.ସର୍ବଣା ବିବେକ ଏମ୍‌. ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ବିଇଏମ୍‌ସିର ଜଣେ କର୍ପୋରେଟର, ଜଣେ ଆଇନଜୀବୀଙ୍କ ମଧ୍ୟ ସମ୍ପୃକ୍ତି ରହିଛି। ବିକ୍ରମ ଓ ପିଣ୍ଟୁ ମିଳିତ ଭାବେ ହତ୍ୟା ଷଡ଼ଯନ୍ତ୍ର କରିଥିବା ବେଳେ ଅନ୍ୟମାନେ ଏହାକୁ କାର୍ଯ୍ୟକାରୀ କରାଇଥିଲେ। ହତ୍ୟାକାଣ୍ଡ ପାଇଁ ଦୁଇ ନେତା ମଧ୍ୟସ୍ଥଙ୍କ ଜରିଆରେ ୫୦ଲକ୍ଷ ଟଙ୍କାର ଡିଲ୍‌ କରିଥିଲେ। ଶୁଟରମାନେ ଆଗୁଆ ୧୦ଲକ୍ଷ ଟଙ୍କା ନେଇଥିଲେ। ଅକ୍ଟୋବର ୬ ଘଟଣାଦିନ ଗୁଳିମାଡ଼ କରିଥିବା ଜଣେ ଶୁଟର ଓ ଅନ୍ୟ ୨ଜଣଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇନାହିଁ। ସେମାନଙ୍କୁ ଗିରଫ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ନିୟୋଜିତ ରହିଥିବା ଏସ୍‌ପି କହିଛନ୍ତି। ଅପରପକ୍ଷରେ ଏହି ଘଟଣାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ରାଜନୈତିକ ଉଦ୍ଦେଶ୍ୟ ରଖି ପୂର୍ବତନ ବିଧାୟକ ବିକ୍ରମଙ୍କୁ ଗିରଫ କରାଯାଇଛି ବୋଲି ବିଜେଡି କହିଛି। ବିଜେଡିର ଅଭିଯୋଗକୁ ଖଣ୍ଡନ କରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପୂର୍ବତନ ବିଧାୟକଙ୍କ ଘଟଣାରେ ସମ୍ପୃକ୍ତି ନ ଥିଲେ ତାଙ୍କୁ ସଙ୍ଗେ ସଙ୍ଗେ ଜାମିନ ମିଳିଯିବ।ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ବୈକୁଣ୍ଠନଗରସ୍ଥିତ ତାଙ୍କ ବାସଭବନ ନିକଟରେ ଗତ ୬ତାରିଖ ରାତିରେ ଗୁଳି କରି ହତ୍ୟା କରାଯାଇଥିଲା। ମୋଟର ସାଇକେଲ୍‌ରେ ଆସିଥିବା ୨ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଅତି ନିକଟରୁ ପୀତବାସଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏମ୍‌କେସିଜି ହସ୍ପିଟାଲ୍‌କୁ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଜଣେ ବରିଷ୍ଠ ଆଇନଜୀବୀଙ୍କୁ ହତ୍ୟା କରାଯିବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। କୁମାରପୂର୍ଣ୍ଣିମା ରାତିରେ ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ଥିବା ସତ୍ତ୍ୱେ ଜଣେ ଆଇନଜୀବୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ସହରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ୧୫ଦିନର ଖୋଳତାଡ଼ ମଧ୍ୟରେ ପୋଲିସ ପ୍ରାୟ ୧୦୦ଜଣଙ୍କୁ ପଚରାଉଚରା କରିଥିବାବେଳେ ୫୦୦ରୁ ଊର୍ଦ୍ଧ୍ୱ ସିସିଟିଭି ଫୁଟେଜକୁ ଯାଞ୍ଚ କରିଛି। ଏହି ହତ୍ୟା ଘଟଣାରେ ରାଜନୈତିକ, ବ୍ୟବସାୟିକ ଏବଂ ବ୍ୟକ୍ତିଗତ ଶତ୍ରୁତା ରହିଥିବା ପୋଲିସ ଜାଣିବାକୁ ପାଇଥିଲା। ଏପରି କି ପୀତବାସଙ୍କୁ ହତ୍ୟା ପାଇଁ ମାସକରୁ ଊର୍ଦ୍ଧ୍ୱ ସମୟ ଧରି ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ବିଧିବଦ୍ଧ ଷଡ଼ଯନ୍ତ୍ର ହୋଇଥିଲା। ଏହି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁଙ୍କ ସମେତ ୧୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍‌ପି ଡା.ସର୍ବଣା ବିବେକ ଏମ୍‌. ବୁଧବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।ପୋଲିସ ସୂଚନା ଅନୁସାରେ, ଏହି ଘଟଣାରେ ବିଇଏମ୍‌ସିର ଜଣେ କର୍ପୋରେଟର, ଜଣେ ଆଇନଜୀବୀଙ୍କ ମଧ୍ୟ ସମ୍ପୃକ୍ତି ରହିଛି। ବିକ୍ରମ ଓ ପିଣ୍ଟୁ ମିଳିତ ଭାବେ ହତ୍ୟା ଷଡ଼ଯନ୍ତ୍ର କରିଥିବା ବେଳେ ଅନ୍ୟମାନେ ଏହାକୁ କାର୍ଯ୍ୟକାରୀ କରାଇଥିଲେ। ଅଭିଯୁକ୍ତ ପୂର୍ବତନ ବିଧାୟକ ବିକ୍ରମ(୫୧), ପୂର୍ବତନ ମେୟର ପିଣ୍ଟୁ (୪୯)ଙ୍କ ସମେତ ୪୧ ନଂ. ୱାଡର୍ର୍ କର୍ପୋରେଟର ମଳୟ ବିଷୋୟୀ (୫୮), ବିଜେଡି ନେତା ମଦନ ଦଳାଇ (୫୦), ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲିର ଛାତ୍ରନେତା ଯୋଗୀ ରାଉତ (୨୫), ବନ୍ଥପଲିର କାଳୁଚରଣ ଭୂୟାଁ(୩୯), ଚିଣ୍ଟୁ ପ୍ରଧାନ (୨୫), ହିଞ୍ଜିଳିକାଟୁର ବିପିନ ସ୍ବାଇଁ (୩୫), ବଡ଼ଗଡ଼ ଥାନା ଅନ୍ତର୍ଗତ ହରିପ୍ରିୟାପୁର ଖଦାଳ ସାହିର ସୀମାଞ୍ଚଳ ନାଇକ (୩୦), ନୟାଗଡ଼ ଜିଲା ଚାନ୍ଦପୁରର ରାଜେନ୍ଦ୍ର ସାହୁ(୨୩), ବିହାର ରାଜ୍ୟ ସିସିପାଲର କୁମାର ପାସୱାନ (୨୫) ଓ କୁନ୍ଦନ କୁମାର (୨୨)ଙ୍କୁ ଗିରଫ କରାଯାଇଛି। ବୈଦ୍ୟନାଥପୁର ଥାନା ମାମଲା ନଂ. ୫୧୮/୨୫ରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ଏସ୍‌ପି କହିଛନ୍ତି। ପୋଲିସ ୨ଟି ବନ୍ଧୁକ, ୫ ମୋବାଇଲ ଫୋନ୍‌ ଜବତ କରିଛି। ଅଭିଯୁକ୍ତ ସୁଦର୍ଶନ ଜେନା, କୁରୁପତି ଭୂୟାଁ ଓ ଉମା ବିଷୋୟୀ ଏବେ ବି ଫେରାର ଥିବା ଏସ୍‌ପି ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!