ଭୁବନେଶ୍ୱର,୨୮।୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଓଡ଼ିଶା ଭିଜିଲାନ୍ସକୁ ପ୍ରଶଂସା କରି କହିଛନ୍ତି ଯେ ସଂସ୍ଥାଟି ତାଙ୍କ ଆଶଙ୍କାକୁ ଭୁଲ୍ ପ୍ରମାଣ କରିଛି। ପୂର୍ବତନ ସରକାରଙ୍କ ସମୟରେ ଛୋଟ ଅପରାଧୀଙ୍କୁ ଧରି ବଡ଼ ଦୋଷୀଙ୍କୁ ଛାଡ଼ୁଥିବା ପ୍ରଥା ଚାଲିବ ବୋଲି ଭାବିଥିଲେ, କିନ୍ତୁ ଭିଜିଲାନ୍ସ ନିରପେକ୍ଷତା ଦେଖାଇଛି।“ଚତୁର୍ଥ ଶ୍ରେଣୀ କର୍ମଚାରୀଠାରୁ ଆଇଏଏସ୍ ଅଧିକାରୀ ଯାଏ କାହାକୁ ଛାଡ଼ାଯାଉନି। ଦୋଷୀ ସାବ୍ୟସ୍ତ ହାର ୫୦ ପ୍ରତିଶତରୁ ଅଧିକ,” ମାଝୀ କହିଛନ୍ତି। ୩୦ ଜଣ ଦୋଷୀ କର୍ମଚାରୀଙ୍କୁ ବରଖାସ୍ତ ଓ ୬୮ ଜଣ ଅବସରପ୍ରାପ୍ତଙ୍କ ପେନସନ୍ ବନ୍ଦ।ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟର ଠାରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆୟୋଜିତ ଏହି କାର୍ଯ୍ୟକ୍ରମ ଦୁର୍ନୀତି ନିବାରଣ ପାଇଁ କେବଳ ଏକ ପ୍ରତିକାତ୍ମକ କାର୍ଯ୍ୟକ୍ରମ ନୁହେଁ, ଏହା ଦୁର୍ନୀତିଖୋର୍ ଅଧିକାରୀଙ୍କୁ ଏବଂ ଦୁର୍ନୀତିରେ ଲିପ୍ତ ସିଷ୍ଟମକୁ ଦୁର୍ନୀତି ପ୍ରତି ଆମ ସରକାର ଶୂନ୍ୟ ସହନଶୀଳ କଠୋର ବାର୍ତ୍ତା ଦେବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଛନ୍ତି । ଯେତେବେଳେ ଦୁର୍ନୀତି ଆମ ବ୍ୟବସ୍ଥାରେ ପ୍ରବେଶ କରେ, ସେତେବେଳେ ସାଧାରଣ ଲୋକଙ୍କର ବିଶ୍ୱାସ ଭାଙ୍ଗି ଯାଇଥାଏ । ଦୁର୍ନୀତି ଆମ ଶାସନର ମୂଳଦୁଆକୁ ଦୁର୍ବଳ କରିଥାଏ । ତେଣୁ, ଦୁର୍ନୀତି ବିରୋଧରେ ଲଢିବା କେବଳ ଏକ କର୍ତ୍ତବ୍ୟ ନୁହେଁ, ଏହା ଆମ ସମସ୍ତଙ୍କର ଏକ ନୈତିକ ଦାୟିତ୍ୱ ।ସେ କହିଛନ୍ତି, ସରକାରୀ ଅଧିକାରୀ ହୋଇ ଲୋକଙ୍କ ସେବା କରିବେ ସ୍ବପ୍ନ ଦେଖିଥିଲେ, ସ୍ବଚ୍ଛ ସେବା ଦେବେ ବୋଲି କହୁଥିଲେ। କିନ୍ତୁ ତାହା କମ ପ୍ରତିଫଳିତ ହେଉଛି। ଆଇଏଏସ୍ ଓ ଓଏଏସ୍ ପରୀକ୍ଷାରେ ରାଙ୍କ ରଖି ଖବରକାଗଜରେ ପ୍ରଶଂସିତ ହେଉଥିଲେ। ଦୁର୍ନୀତି କରି ଜେଲ ଯିବାର ଖବର ସେହି ଖବରକାଗଜରେ ଆସୁଛି। କେବଳ କିଛି ଟଙ୍କା ପାଇଁ ନିଜ ଆଦର୍ଶ ଆଉ ବିଚାରଧାରାକୁ ବିକି ଦେଉଛନ୍ତି। ଏହାଦେଖି ରାଜ୍ୟବାସୀ ଚିନ୍ତିତ ହୋଇ ପଡୁଛନ୍ତି । ତେଣୁ ଏଭଳି ଅଧିକାରୀଙ୍କୁ ସାବଧାନ କରିଦିଅନ୍ତୁ, ଭିଜିଲାନ୍ସ କ୍ଷମା ଦେବନି, କି ଛାଡ଼ିବନି। ପୂର୍ବ ସରକାର କେରାଣ୍ଡି ମଉରାଳୀକୁ ଧରି ବାଳିଆ ରୋହିକୁ ଛାଡି ଦେଉଥିଲେ। କିନ୍ତୁ ଆମ ସରକାର ଭିଜିଲାନ୍ସକୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି। ୧୬ ମାସରେ ଆଇଏଏସ୍ଠୁ ଆରମ୍ଭ କରି ୭ ମୁଖ୍ୟ ଯନ୍ତ୍ରୀ ଧରାପଡିଛନ୍ତି। ୫ ତହସିଲଦାର, ୪ ବିଡିଓ , ୧୦ ପୁଲିସ୍ ଅଧିକାରୀ , ଏବଂ ଜଣେ ଡିଏଫଓ ଧରାପଡିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |