ପୁରୀ,୨ା୧୧: ଆଜିଠୁ ଆରମ୍ଭ ପଞ୍ଚୁକ। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଗହଳି। ଏଥର ୫ ଦିନ ବଦଳରେ ୪ ଦିନ ପଞ୍ଚୁକ। ପଞ୍ଚୁକରେ ଭକ୍ତମାନେ କେବଳ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ ପାଇବେ। ତେବେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରଥମ ଭୋଗମଣ୍ଡପ ପରେ ଭିତର କାଠ ଦର୍ଶନ କରାଯିବ।କାର୍ତ୍ତିକ ମାସର ମହାପଞ୍ଚୁକ ବ୍ରତ ଆଜିଠୁ ଆରମ୍ଭ ହୋଇଛି। ଏଥର ପାଞ୍ଚ ଦିନ ପରିବର୍ତ୍ତେ ୪ଦିନ ପଞ୍ଚୁକ ବ୍ରତ ପାଳନ ହେବ। ତିଥି କ୍ଷୟ ଯୋଗୁଁ ଦ୍ବାଦଶୀରେ ବାଙ୍କଚୂଡ଼ା ବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ପଞ୍ଚକର ପ୍ରଥମ ଦିନ ତଥା ବଡଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଠିଆକିଆ ବେଶ ବା ଲଷ୍ମୀନାରାୟଣ ବେଶରେ ସଜିତ କରାଯାଇଛି । ଏଥିସହ ଆଜି ଶ୍ରୀମନ୍ଦିରରେ ହରି ଉତ୍ଥାପନ ଏକାଦଶୀ ମଧ୍ୟ ପାଳିତ ହେଉଛି ।ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି ପୋଲିସ। ଭକ୍ତମାନେ କେବଳ ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ ପାଇଁ ନିଷ୍ପତ୍ତି ହୋଇଛି। ବଡ଼ଦାଣ୍ଡରେ ବ୍ୟାରିକେଡକୁ ଅଧିକ ଲମ୍ବାଯାଇଛି। ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୪୦ ପ୍ଲାଟୁନ ଫୋର୍ସ। ଭିଡ଼ ନିୟନ୍ତ୍ରଣ ସହିତ ସମସ୍ତଙ୍କର ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ବ ଦେଉଛି ପୋଲିସ-ପ୍ରଶାସନ। ଆଷାଢ ଶୁକ୍ଳପକ୍ଷ ଏକାଦଶୀରେ ମହାପ୍ରଭୁ ଶୟନ କରିଥିବା ବେଳେ କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁ ନିଦ୍ରାରୁ ଉଠିଥାନ୍ତି । ଶାସ୍ତ୍ର ମତରେ ଆଜିଠାରୁ ଶୁଭ ସମୟ ଆରମ୍ଭ ହେଉଥିବାରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ । ବଡ଼ଦାଣ୍ଡ ମାର୍କେଟ ଛକରୁ ହେବ ନୋ ଭେଇକିଲ ଜୋନ। ସେହିପରି ଦିଗବାରିଣୀ ଛକରୁ ଯାତ୍ରିକା ପାର୍କିଂ ପର୍ଯ୍ୟନ୍ତ ମଧ୍ୟ ନୋ ଭେଇକିଲ ଜୋନ କରିବାକୁ ସ୍ଥିର ହୋଇଛି। ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ କଡା ଓ ପର୍ଯ୍ୟାପ୍ତ ପୋଲିସ ସୁରକ୍ଷା ବ୍ୟବସ୍ଥା ରହିବ। ଶ୍ରୀମନ୍ଦିର ଭିତରେ ଗରୁଡ ସ୍ତମ୍ଭଠାରୁ ଭିତର କାଠ ପର୍ଯ୍ୟନ୍ତ ଭିଡ ନିୟନ୍ତ୍ରଣ ପାଇଁ କ୍ଲିୟରାନ୍ସ ପାର୍ଟି ମୁତୟନ ରହିବେ । ସମୁଦାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବଛାବଛା ଅଭିଜ୍ଞ ଓ ବରିଷ୍ଠ ପୋଲିସ ମୁତୟନ ରହିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |