ପୁରୀ,,୧୭।୧୧:ଆଜି ମାର୍ଗଶିର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି। ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ହେବ ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି। ଏଥିପାଇଁ ଆଜି ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଦର୍ଶନ ବ୍ୟବସ୍ଥା। ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦଇତାପତି ସେବାୟତଙ୍କ ଏହା ଗୋଷ୍ଠୀଗତ ସେବା ଏବଂ ଗୁପ୍ତନୀତି। ତେଣୁ ଶ୍ରୀମନ୍ଦିରର ଜୟବିଜୟ ଦ୍ବାର ବନ୍ଦ ରହିବ।ଦଇତାପତି ସେବାୟତ ମାନେ ୩ ଭାଗରେ ବିଭକ୍ତ ହୋଇ ରତ୍ନସିଂହାସନ ଉପରେ ଚଢି ମହାପ୍ରଭୁଙ୍କ ଏହି ଗୁପ୍ତ ସେବା କରିଥାନ୍ତି। ଦ୍ବିତୀୟ ଭୋଗମଣ୍ଡପ ସରିବା ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ପଇତାଲାଗି କରିବେ। ପ୍ରାୟ ୫ ଘଣ୍ଟା ଧରି ଏହି ନୀତି ଚାଲିବ। ଏହି ନୀତି ସମ୍ପୂର୍ଣ୍ଣ ହେବାପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବ। ପରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ।ବର୍ଷକୁ ପ୍ରାୟ ଦୁଇଥର ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ। ଓଢଣୀ ଷଷ୍ଠୀ ଓ ଅକ୍ଷୟ ତୃତୀୟା ପୂର୍ବରୁ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ। ଆସନ୍ତା ୨୬ରେ ଓଢଣୀ ଷଷ୍ଠୀ ନୀତି ପଡୁଥିବାରୁ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |