ନୂଆଦିଲ୍ଲୀ,୨୪୧୧: ଆଜି ଭାରତର ନୂଆ ସିଜେଆଇ ଭାବରେ ଶପଥ ନେଇଛନ୍ତି ଜଷ୍ଟିସ ସୂର୍ଯ୍ୟକାନ୍ତ। ସୁପ୍ରିମକୋର୍ଟର ୫୩ ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସିଜେଆଇ ବିଆର ଗଭାଇଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ନୂଆ ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିବା ଏହି ଶପଥ ଗ୍ରହଣ ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଜଗଦୀପ ଧନଖଡ ପ୍ରମୁଖ ସାମିଲ ହୋଇଥିଲେ। ୬ଟି ଦେଶର ପ୍ରଧାନ ବିଚାରପତି, ଜଜ୍ ଏବଂ ସେମାନଙ୍କ ପରିବାର ସଦସ୍ୟ ସାମିଲ ହୋଇଛନ୍ତି। ଏଭଳି ଦୃଶ୍ୟ ପ୍ରଥମ ଥର ଲାଗି ଦେଖିବାକୁ ମିଳିଛି। ୧୦ ଫେବୃଆରୀ, ୧୯୬୨ରେ ହରିୟାଣାର ହିସାର ଜିଲ୍ଲାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। ୧୯୮୪ରେ ମହର୍ଷି ଧ୍ୟାନଚାନ୍ଦ ବିଶ୍ବବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିବା ପରେ ହିସାର ଜିଲ୍ଲା କୋର୍ଟରେ ଆଇନଜୀବୀ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଅଭ୍ୟାସ କରିଥିଲେ। ମାତ୍ର ୩୮ ବର୍ଷ ବୟସରେ ହୋଇଥିଲେ ହରିୟାଣର ସର୍ବକନିଷ୍ଠ ଆଡଭୋକେଟ୍ ଜେନେରାଲ୍।୨୦୧୧ରେ ସେ କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟର ଡାଇରେକ୍ଟୋରେଟ୍ ଅଫ୍ ଡିଷ୍ଟାନ୍ସ ଏଜୁକେସନରୁ ଆଇନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ୧୯୮୫ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଆଇନ ଅଭ୍ୟାସ କରିବାକୁ ଚଣ୍ଡିଗଡ ଚାଲିଆସିଥିଲେ। ଏହି ସମୟରେ ସେ ବିଭିନ୍ନ ବିଶ୍ବବିଦ୍ୟାଳୟ, ବୋର୍ଡ, କର୍ପୋରେସନ, ବ୍ୟାଙ୍କର ଆଇନ ଅଧିକାରୀ ଭାବେ ପ୍ରତିନିଧିତ୍ବ କରିଥିଲେ।୨୦୦୦ ଜୁଲାଇ ୭ରେ ହରିୟାଣାର ଆଡଭୋକେଟ୍ ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ। ୨୦୦୧ ମାର୍ଚ୍ଚରେ ସେ ବରିଷ୍ଠ ଆଇନଜୀବୀର ମାନ୍ୟତା ପାଇଥିଲେ। ୨୦୦୪ ଜାନୁଆରୀ ୯ରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୮ ଅକ୍ଟୋବର ୫ରେ ସେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୧୯ ମେ ୨୪ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ଏବେ ସେ ସୁପ୍ରିମକୋର୍ଟର ଲିଗାଲ ସର୍ଭିସ୍ କମିଟିର ଚେୟାରମ୍ୟାନ ଅଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ୨୦୨୭ ଫେବୃଆରୀ ୯ରେ ଅବସର ଗ୍ରହଣ କରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |